
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ ଅଫ ମାର୍ଶାଲ ଆର୍ଟ ତରଫରୁ ଆନ୍ତର୍ଜାତିକ ଫୁଲ କଣ୍ଟାକ୍ଟ ବ୍ଲାକ ବେଲ୍ଟ ଗ୍ରେଡେସନ ଟେଷ୍ଟ ଦେଓଗାଁ ସ୍ଥିତ ଅରିନ୍ଦମ ପାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ତଥା ଅଲଇଣ୍ଡିଆ ସମ୍ପାଦକ ସେନସାଇ ସନ୍ତୋଷ ତନ୍ତୀଙ୍କ ଆବାହକତ୍ୱ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳା, ସମୟାନୁବର୍ତ୍ତିତା, ଆତ୍ମବିଶ୍ୱାସ, ସ୍ୱଦେଶୀ ପ୍ରିତି ପ୍ରତି ଗୁରୁତ୍ଵାରୋପ କରିଥିଲେ । ଏହି ଖେଳ ନିଜର ତଥା ନିଜ ପରିବାରର ସୁରକ୍ଷା ସର୍ବୋପରି ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୁଏ ବୋଲି ମତ ରଖିଥିଲେ । ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ଜାତୀୟ ମୁଖ୍ୟ ସିହାନ ସୁପ୍ରତିମ ମିତ୍ର, ଉପାଧ୍ୟକ୍ଷ କାଜଲ ଦେ, ସର୍ବଭାରତୀୟ ଲୋକ ସମ୍ପର୍କ ଅଧିକାରୀ ସେନସାଇ ତିଳୋତ୍ତମା ମିତ୍ର, ବିହାରରୁ ଚନ୍ଦ୍ର ଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ୫ଜଣ ପ୍ରତିଯୋଗୀଙ୍କୁ ଜାପାନରୁ ଆସିଥିବା ବ୍ଲାକବେଲ୍ଟ ଓ ପ୍ରମାଣପତ୍ର ମୁଖ୍ୟଅତିଥି ପ୍ରଦାନ କରିଥିଲେ । ସେନସାଇ ସନ୍ତୋଷ ତନ୍ତୀ ଓ ଇଶିତା ଶର୍ମାଙ୍କୁ ବ୍ଲାକ ବେଲ୍ଟ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମୀନତି ଭୂମିଜ, ସୁବାସ ମାହାତୋ, ଅରିନ୍ଦମ ସିଂ ଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରେବନ୍ତୀ ତନ୍ତୀ, ଯଶୋଦା ମୁଣ୍ଡା, ପୁରୁଷୋତ୍ତମ, ଅଶୋକ, ଆକାଶ, ହାପି ତନ୍ତୀ, ସାଲଖୁ, ରଶ୍ମି, ରଞ୍ଜିତା, ଦୀପିକା, ନିରାଞ୍ଜଲୀ, ସତ୍ୟମ, ଏମ ଡି ମେହେତାବ, ମାନସ, ସଂଗ୍ରାମ ପଟ୍ଟନାୟକ, ଥୋମାସ, ନୁଆସ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରି ବେସିକ, ଲେଗ ଟେକନିକ, ହ୍ୟାଣ୍ଡ ଟେକନିକ, ଷ୍ଟାଣ୍ଡ, ୟୁରୋକିହନ୍ସ, କାତା, କୁମେତ ଆଦି ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ସେନସାଇ ତନ୍ତୀ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜଲଦା ପଞ୍ଚାୟତ ପବ୍ଲିକ ସ୍କୁଲକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗଦେଇଥିଲେ ।