ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଗୋଖୁରୁଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂ ସୁନାଙ୍କ ଦ୍ଵାରା ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବିଜେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଓପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷୟିତ୍ରୀ ସରିତା ମାଝୀଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ଓ ନୂତନ ଭାବେ ଯୋଗଦାନ ଦେଇଥିବା କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ଆଦେଶ ଅନୁଯାୟୀ ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଓ ମାନ ନିର୍ଦ୍ଧାରଣ ଟ୍ରାକର୍ ଆଲୋଚନା ବିଭିନ୍ନ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ଼ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଭିରାମ ମାଝୀ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡ ଭୋଇ ପରିଦର୍ଶନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନକୁ ନେଇ ତାହାର ଉଦ୍ଦେଶ୍ୟ, ସରକାରଙ୍କ ନିର୍ଦ୍ଧାରିତ ସମୟ ସୀମା ଓ ଛାତ୍ରଛାତ୍ରୀ କିପରି ଉପକୃତ ହେବେ ଏବଂ PARAKH (NAS) ବା ସାମଗ୍ରିକ ବିକାଶ ପାଇଁ ଜ୍ଞାନର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ, ସମୀକ୍ଷା ଏବଂ ବିଶ୍ଳେଷଣ ଉପରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଆଲୋକପାତ କରିଥିଲେ ଓ ପ୍ରଧାନ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିଲେ ପ୍ରତିଦିନ ଶ୍ରେଣୀ ୩,୬,୯ର ଛାତ୍ରଛାତ୍ରୀଙ୍କୁ ନମୁନା ପ୍ରଶ୍ନ ଅଭ୍ୟାସ କରାଇବେ । ଉକ୍ତ ବୈଠକରେ ଗୋଖୁରୁଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରେନ୍ଦ୍ର ମାଝୀଙ୍କ ସହିତ ଭୂପେନ୍ଦ୍ର ସାଗର, ମକର ବାରିକ, ଗୌର ବଗର୍ତ୍ତୀ, ଅନୋଲା ହୋରୋ, ରଜନୀକାନ୍ତ ବାଗ ଓ ଆଦିକନ୍ଦ ମାଝୀ, ଜୟକୃଷ୍ଣ ଝାଙ୍କରଙ୍କ ସହିତ ଅନ୍ୟ ପ୍ରଧାନ ଶିକ୍ଷକ ଓ ସହ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.