ପ୍ରସିଦ୍ଧ ଲାଖବିନ୍ଧା ପର୍ବ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପରମ୍ପରାରୁ ଚାଲିଆସୁଛି କାଶୀପୁରରେ ଲାଖବିନ୍ଧା ପର୍ବ । ଗାଁ ଗାଁରୁ ବାସୁଛି ଧୂପ, ଦୀପ, ଜଡାର ଗନ୍ଧ । ଦୂରଦୂରରୁ ଶୁଣିବାକୁ ମିଳୁଛି ଢୋଲ, ନିଶାନର ଶବ୍ଦ । ଆଶ୍ୱିନ ମାସର ଦୂରରୁ ଶୁଣାଯାଉଥିବା ନିଶାନ୍‌ ଶବ୍ଦରେ ଜାଣିପାରନ୍ତି ପାର୍ବଣ ଋତୁ ଆସିଛି ଆଉ ଏଠାରେ କୌଣସି ରୂପରେ ଏକ ଶକ୍ତି ପୂଜା ପାଉଛନ୍ତି । ରାଜାରାଜୁଡା ଅମଳରୁ କାଶୀପୁରରେ ଏମିତି ଏକ ପରମ୍ପରାରୁ ଚାଲିଆସୁଛି ଲାଖବିନ୍ଧା ପର୍ବ । ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ମୂଳାଷ୍ଟମୀରୁ ମହାଷ୍ଟମୀ ୧୬ ଦିନ ଧରି ଷୋଡଶ ଉପଚାର ଓ ତନ୍ତ୍ର ପୂଜା କରିବା ପରେ ନବମୀଗତେ ଦଶମୀ ତିଥିରେ ମନ୍ଦିର ଓ ରାଜ ପରମ୍ପରା ଅନୁଯାୟୀ ବୁଢାରାଜା ପୀଠରେ ଅନୁଷ୍ଠିତ ହୁଏ ଲାଖବିନ୍ଧା ପର୍ବ । ଅପରାଜିତା ପୂଜା ବିଧି ସମ୍ପନ୍ନ କରି ଦେବ ପରିବାରର ବଂଶଜ ରାଜା ଡାକ୍ତର ଦ୍ୱିବେନ୍ଦୁ କୁମାର ଦେବଙ୍କ ଅନୁମତି କ୍ରମେ ନକଟିଗୁଡି ମନ୍ଦିର ନିକଟରେ ଥିବା ଆମ୍ବଗଛର ଶୀର୍ଷରେ କାକୁଡି ବାନ୍ଧିଥାନ୍ତି । ମନ୍ଦିରର ପୂଜାବିଧି ସମ୍ପନ୍ନ ହେବାପରେ ସାତଭଉଣୀ ମନ୍ଦିରର ପୂଜକ ଓ ପୂଜା ପାଉଥିବା ଖଣ୍ଡାସହ ଏକ ପଟୁଆରରେ ଜଗନ୍ନାଥ ମନ୍ଦିର ନିକଟକୁ ଆସିଥାନ୍ତି । ମା’ ମାଣିକେଶ୍ୱରୀ ମନ୍ଦିରର ପୂଜକ ପୂଜା ପାଉଥିବା ଖଣ୍ଡାସହ ରାଜା ଦ୍ୱିବେନ୍ଦୁ କୁମାର ଦେବ ଏବଂ ବୁଢାରାଜା ବନ୍ଧୁକକୁ ନିଳାମ୍ବର ସିଂ ଧରି ବାହାରିଥାନ୍ତି । ଉଭୟ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହେବା ପରେ ବିରାଟ ପଟୁଆର ସହିତ ଲାଖବିନ୍ଧା ପଡିିଆ ନିକଟକୁ ଯାଇଥାନ୍ତି । ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବନ୍ଧା ଯାଇଥିବା କାକୁଡିକୁ ପ୍ରଥମେ ବୁଢାରାଜାଙ୍କ ବନ୍ଧୁକରୁ ନିଳାମ୍ବର ସିଂ ଗୁଳି ଫୁଠାଇଥାନ୍ତି । ପରେ ସାଧାରଣ ଲୋକଙ୍କୁ ରାଜା ଏହି ଅନୁମତି ଦେଇଥାନ୍ତି । ଏହା ପରେ ରାଜା ମନ୍ଦିର ପରିସରରେ ନିଜର ସିଂହାସନ ଆରୋହଣକରି ନିଜର ଦରବାର ଚଲାଇଥାନ୍ତି । ଏହି ଲାଖମରା ପର୍ବକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.