ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଇତିମଧ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆଗଲପୁରଠାରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ତ୍ରିଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ ବର୍ଗ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୪ ଅଗଷ୍ଟ ( ଶନିବାର) ୨୦୨୪ ଅପରାହ୍ନ ୪ ଟାରେ ଉଦ୍‌ଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ସକାଳରେ ଶେଷ ହୋଇଅଛି । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଆଗଲପୁର ଖଣ୍ଡର ସଂଘଚାଳକ ମାନନୀୟ ଦୀଲିପ ପାଠୀଙ୍କ ଦ୍ଵାରା ଏହା ଉଦ୍‌ଘାଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଭାଗର ସହ-ବିଭାଗ କାର୍ଯ୍ୟବାହ ଯୋଗୀନ୍ଦ୍ର ଦାଶ ଯୋଗଦେଇ ଏକ ଉନ୍ନତ ରାଷ୍ଟ୍ର ଓ ସମୁନ୍ନତ ସମାଜ ଗଠନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଭୂମିକା ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଲୋଇସିଂହା ସଂକୁଳ ପ୍ରମୁଖ ତଥା ଆଗଲପୁର ବିଜ୍ଞାନ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ କୁମାର ସିଂହଦେଓ ସଂଘର ଶାଖାକୁ ମଣିଷଗଢା କାରଖାନା ବୋଲି କହିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସର୍ବମୋଟ ୩୫ ଜଣ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ । ଶାରୀରିକ ଶିକ୍ଷାରେ ଯୋଗ,ଆସନ, ସମତା, ଦଣ୍ଡ, ନିୟୁଧ,ପଦ ବିନ୍ୟାସ, ଆଚାର ପଦ୍ଧତି, ଖେଳ ଆଦି ସହ ଗୀତ, ଚର୍ଚ୍ଚା ଅମୃତବତନ, କାହାଣୀ, ସୁଭାଷିତ, ବୋଧକଥା, ପ୍ରାର୍ଥନା ଇତ୍ୟାଦି ଶିକ୍ଷା ଦିଆଯାଇଥିଲା । ଏହି ପ୍ରଶିକ୍ଷଣରେ ମୁଖ୍ୟ ଶିକ୍ଷକ ରୂପେ ଚିତ୍ତରଞ୍ଜନ ମାଝୀ, ସହ ଶିକ୍ଷକ ଭାବେ ଜ୍ୟୋତି ରଂଜନ ଭୋଇ ବୌଦ୍ଧିକ ପ୍ରମୁଖ ମହାଦେବ ମେହେର ଓ ସହବୌଦ୍ଧିକ ଭାବେ କୃଷ୍ଣ କୁମାର ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରବନ୍ଧକ ଭାବେ ସମୀର ସାହୁ, ବିଶ୍ଵେନ୍ଦୁ ଭାଇ, ମୋହନ ଦୋରା, ବଳଦେବ ବାରିକ ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.