ଗୁଡେଭେଲା ବ୍ଲକସ୍ତରୀୟ ପ୍ରାଥମିକ ବିଭାଗର କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୁଡଭେଲା ବ୍ଲକସ୍ତରୀୟ ପ୍ରାଥମିକ ବିଭାଗର କୁଇଜ୍ ପ୍ରତିଯୋଗିତା ଆଜି ପୂର୍ବାହ୍ନ ୧୧ଟା ସମୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜାମୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଗୁଡଭେଲା ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବିବିନା ଓଏଭିର ବିଜ୍ଞାନ ଶିକ୍ଷକ ରିତେନ୍ଦ୍ର ପ୍ରକାଶ ପ୍ରଧାନ ଯୋଗ ଦେଇଥିବା ବେଳେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ବିପିନ ବାଗ ଓ ସୁରେନ୍ଦ୍ର ସୁନା ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ଅପରାହ୍ନରେ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଶ୍ରୀ ମେହେର, ବିଶିଷ୍ଟ ଅତିଥି ଶ୍ରୀ ପ୍ରଧାନ ଓ ସମ୍ମାନିତ ଅତିଥି ଶ୍ରୀ ସାମର୍ଥ, ଶ୍ରୀ ବାଗ ଓ ଶ୍ରୀ ସୁନା କୃତୀ ପ୍ରତିଯୋଗୀମାନଙ୍କୁ ମୋମେଣ୍ଟୋ ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ । ସର୍ବକନିଷ୍ଠ ଓ କନିଷ୍ଠ ଏହିପରି ଦୁଇଟି ବିଭାଗରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସର୍ବକନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ବିରାମୁଣ୍ଡା ୟୁପି ସ୍କୁଲର ପଞ୍ଚମ ଶ୍ରେଣୀର ସାହିଲ ରଣା, ଦ୍ୱିତୀୟ ନଅଗାଁ ପ୍ରାଥମିକ ସ୍କୁଲର ଆଭାସ ବିଶ୍ୱାଲ, ଜାମୁଟ ୟୁପି ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ ମିକି ପାତ୍ର ଓ ହରିପଡା ପ୍ରାଥମିକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ ନିହାରିକା କହଁର୍ ଏବଂ ତୃତୀୟ ସରକାରୀ ବାଳିକା ହାଇସ୍କୁଲ ତୁଷୁରାର ପଞ୍ଚମ ଶ୍ରେଣୀର ଛାତ୍ରୀ ରିଦ୍ଧିସ୍ନିତା ବିଶି ଓ ଚିଞ୍ଚେଡ ୟୁଜିଏଚ୍ଏସ୍‌ର ପଞ୍ଚମ ଶ୍ରେଣୀର ଛାତ୍ର ନିତେଶ କୁମାର ଛତ୍ରିଆ ଅଧିକାର କରିଥିଲେ । ସେହିପରି କନିଷ୍ଠ ବିଭାଗରେ ବଡଙ୍ଗୋମୁଣ୍ଡା ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭମ ନାଗ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ମହୀପୁର ଆଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ବିଜେଶ ଭୋଇ ଓ ତୃତୀୟ ସ୍ଥାନ ଟିପିଏଚ୍ଏସ୍‌ ଡାହିମାଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଲୁକେଶ୍ୱରୀ ବାଗ ଓ ଗୁନିମୁଣ୍ଡା ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରାଚୀ ସୁନା ଅଧିକାର କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଗୁଡଭେଲା ବ୍ଲକର ସମସ୍ତ ସି. ଆର୍‌. ସି. ସି, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଜାମୁଟ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସତ୍ୟବାନ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.