ବ୍ୟକ୍ତି ଜୀବନ ଓ ଦୃଶ୍ୟ କାବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହରର ୨୫ ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ବ୍ୟକ୍ତି ଜୀବନ ଓ ଦୃଶ୍ୟ କାବ୍ୟ ସମ୍ପର୍କରେ ଏକ ଆଲୋଚନା ଚକ୍ର କଲ୍‌ଚରାଲ୍‌ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ସ୍ମୃତିଚାରଣ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏକତ୍ରର ସଭାପତି କବି ରାଜୀବ ପାଣିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ସୁଦେଶ ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ଶକ୍ତିପ୍ରସାଦ ସାମନ୍ତରାୟ ମୁଖ୍ୟଅତିଥି, ପ୍ରଫେସର ଡ. ସଂଘମିତ୍ରା ମିଶ୍ର ମୁଖ୍ୟ ଆଲୋଚିକା, ଡ. ସମର ମୁଦାଲି ସମ୍ମାନିତ ବକ୍ତା, ଉପଦେଷ୍ଟା ଡା. କୃପାସିନ୍ଧୁ ନାୟକ ଓ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଡ. ସାମନ୍ତରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ, ନାଟକ ଓ ବ୍ୟକ୍ତି ଜୀବନ ପରସ୍ପର ଓତଃପ୍ରୋତଭାବେ ଜଡ଼ିତ । ନାଟକ ଓ ସମାଜ ପରସ୍ପର ପରିପୂରକ । ଆଲୋଚିକା ଡ. ମିଶ୍ର ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ସତ୍ ସାହିତ୍ୟର ମୃତ୍ୟୁ ନାହିଁ । ସମସ୍ତଙ୍କୁ କାଳଗ୍ରାସ କରେ ମାତ୍ର ନାଟକକୁ ନୁହେଁ । ସମ୍ପ୍ରତ୍ତି ଭାରତୀୟ ସମାଜରେ ଫ୍ରେମ ଆଉ ନାହିଁ । ବ୍ୟକ୍ତି ଜୀବନ ଆଜି ବିପର୍ଯ୍ୟସ୍ତ । ନାଟକ ଏକ ଯାଗା ଯେଉଁଠି ଗଣତନ୍ତ୍ର ରହିଛି । ସମ୍ପ୍ରତ୍ତି ନାଟକ ଯୁଗଧର୍ମୀ ନହୋଇ ପରୀକ୍ଷାଧର୍ମୀ ହୋଇଛି । ଏହାସହ ସେ ନାଟକରେ କଳ୍ପନା, କିଛି ମିଶେଇବା, ସମ୍ଭାବନା, ମନର ଭାବନା, ଅନୁମାନ, ମନନ, ସାମର୍ଥ୍ୟ, ନିର୍ମାଣ, ଚେହେରା, ଫୋକସ, ମାନସ, ସାମାଜିକ ଜୀବନ, ଅନୁଭବ, ଭାଷାଜ୍ଞାନ, ଅଭ୍ୟାସ ଓ ଅନୁଶୀଳନକୁ ନେଇ ନାଟକର ସୃଷ୍ଟି ବୋଲି ମତ ରଖିଥିଲେ । ସମ୍ମାନିତ ବକ୍ତା ଡ. ମୁଦାଲି ତାଙ୍କ ବକ୍ତବ୍ୟରେ ନାଟ୍ୟକାର ଚିନ୍ତାମଣି ଜେନାଙ୍କ ଜୀବନାଦର୍ଶ, କଳା ପ୍ରତି ତାଙ୍କର ଓ ପରିବାରର ସମର୍ପିତ ଭାବନା, ପରୀକ୍ଷାଧର୍ମୀ ନାଟକ ଲେଖିବାରେ କିପରି ଧୁରନ୍ଧର ତଥା ତାଙ୍କ ଲିଖିତ ଅଧିକାଂଶ ନାଟକର ସ୍ୱର ବିପ୍ଲବ ଥିଲା ବୋଲି ମତବ୍ୟକ୍ତ କରି ତାଙ୍କ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀ ପଟ୍ଟନାୟକ ନାଟକ ହେଉଛି ପଞ୍ଚମ ବେଦ ତଥା କାବ୍ୟ ଭିତରେ ନାଟକ ହେଉଛି ରମ୍ୟ ବା ସୁନ୍ଦର ବୋଲି ମତ ରଖିଥିଲେ । ଉପଦେଷ୍ଟା ଡା. ନାୟକ ଚିନ୍ତାମଣି ଜେନାଙ୍କ ନାଟ୍ୟ ସମ୍ଭାର ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ନାଟ୍ୟକାର ସ୍ୱର୍ଗତ ଜେନାଙ୍କ ଝିଅ ନିବେଦିତା ଜେନା ତାଙ୍କ ବାପାଙ୍କ କୃତି, ସଂଘର୍ଷମୟ ଜୀବନ, ନାଟକ ପ୍ରତି ସମର୍ପିତ ଭାବନା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀ ନାୟକ ସ୍ୱାଗତ ଭାଷଣ ଓ ସଭାପତି ଶ୍ରୀ ପାଣି ସଭାପତିତ୍ୱ ଅଭିଭାଷଣରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ନାଟ୍ୟକାର ଚିନ୍ତାମଣିଙ୍କୁ ନାଟ୍ୟ ଜଗତର ସମ୍ପତ୍ତି, ସମାଜର ଶିକ୍ଷକ ଓ ଜଣେ ଦାର୍ଶନିକ ଭାବେ ଅବହିତ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ ସେଠୀ, ପଞ୍ଚାନନ ପାତ୍ର, ସରୋଜ ଶଙ୍ଖୁଆ, ପ୍ରଜ୍ଞାନନ୍ଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ନାଟ୍ୟାନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.