ନୂଆପଡାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୂଆପଡା, (କେପିଏସ୍‌ଏସ୍‌) : ନୂଆପଡା ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା ଓ ଗୃହ ତାଲିକା ସମ୍ବନ୍ଧୀୟ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ସ୍ଥାନୀୟ ସଦଭାବନା ସଭା ଗୃହରେ ସମାପ୍ତ ହୋଇଛି । ଏହି ପ୍ରଶିକ୍ଷଣ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ, ନୂଆପଡା ମଧୁସୂଦନ ଦାଶଙ୍କ ଆଦେଶାନୁସାରେ ୦୯, ୧୦ ଓ ୧୨ ମାର୍ଚ୍ଚ ତିନିଦିନ ଧରି ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ସୁବାଷ ଚନ୍ଦ୍ର ରଇତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ବିଜୟ କୁମାର ଛତ୍ରିଆ, ସହକାରୀ ଜିଲ୍ଲାପାଳ ତଥା ଉପ-ଜିଲ୍ଲା ଜନଗଣନା ଅଧିକାରୀ ଏହି ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ । କୁମାରୀ ପ୍ରୟାସୀ ପ୍ରଧାନ, ଡେପୁଟି ଜିଲ୍ଲାପାଳ ଏବଂ ଶେଖ ନସିମ, ଡେପୁଟି ଜିଲ୍ଲାପାଳ ମୁଖ୍ୟ ପ୍ରଶିକ୍ଷିକା/ପ୍ରଶିକ୍ଷିକ ଭାବେ ୨୬ ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷ ଦିବସରେ ପ୍ରାୟୋଗିକ ଭାବେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନ କରାଇ ଲେଆଉଟ୍ ମ୍ୟାପ ଓ ପ୍ରଶ୍ନାବଳୀ ଉପରେ ଅଭ୍ୟାସ କରାଯାଇଥିଲା । ଉକ୍ତ କ୍ଷେତ୍ର ପରିଦର୍ଶନରେ ସମସ୍ତ ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ କ୍ଷେତ୍ର ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଜଣାଇ ଶୁଭେଚ୍ଛା ପ୍ରଦାନ କରିଥିଲେ ଏବଂ ପ୍ରଶିକ୍ଷଣ ସମାପନ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଉକ୍ତ ତିନି ଦିନରେ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶାରୁ ମୁତୟନ ହୋଇଥିବା ଅଧିକାରୀ ସୁଧାଂଶୁ ପାଠକ ଉପସ୍ଥିତ ରହି ବୈଷୟିକ ସମସ୍ୟାର ସମାଧାନ କରିଥିଲେ ।

Leave A Reply

Your email address will not be published.