ଦୁର୍ଗା ମାଧବ ସରକାରୀ ଉଚ୍ଚ ଵିଦ୍ୟାଳୟର ୫୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ଵିଦ୍ୟାଳୟର ୫୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଵିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ପ୍ରତାପ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଉଦଘାଟନୀ ସମାରୋହରେ ସ୍ଥାନୀୟ ଆଇଆଇସି ବିଶ୍ୱମ୍ବର କଅଁର ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିଲେ । ସେହିଭଳି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପରମଜ୍ୟୋତି ନେଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଶିକ୍ଷାବିତ ମନ୍ମଥ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ପଣ୍ଡା, ସମ୍ମାନୀୟ ଅତିଥୀ ଭାବେ ଯୋଗଦେଇଥିଲେ । ପ୍ରଥମେ ଅତିଥୀମାନଙ୍କ ଦ୍ୱାରା ପୂଜ୍ୟପୂଜା କାର୍ଯ୍ୟକ୍ରମପରେ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ଅତିଥୀମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଵିଦ୍ୟାଳୟର ପ୍ରଧାନଶିକ୍ଷକ ଅଶ୍ୱିନ କୁମାର ମୁଣ୍ଡ ସ୍ୱାଗତ ଅଭିଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଵିଦ୍ୟାଳୟର କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅତିଥୀମାନେ ନିଜ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ମଣିଷ ହେବା ସହ ସମାଜର ମଙ୍ଗଳ ପାଇଁ କାର୍ଯ୍ୟକରିବାପାଇଁ ଉପଦେଶ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ଭାରତୀ ସୁନାନୀ, ସଞ୍ଜୁ ବାଗ, ସାମ୍ବାଦିକ ସୁରେନ୍ଦ୍ର ନାଏକ, ବୁଦ୍ଧିମାନ ଜଗରିଆ ପ୍ରମୁଖ ପୁରସ୍କାର ବିତରଣ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରେମ ସାଗର ମେହେର ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ତିକୁନ୍ତଳା ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କ୍ଷୁଦ୍ର ନାଟକ ଭିନ୍ନ ଏକ ରେବତୀ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଭିଭାବକ, ଅଭିଭାବିକା ଶିଶୁମନ୍ଦିର ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା, ବୁଦ୍ଧିଜୀବୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଵିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.