ଖଡିଆଳ ବ୍ଲକ ରିଷି ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ : ନୂତନ ବର୍ତ୍ତନ ବ୍ୟାଙ୍କ ଉଦଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ଖଡିଆଳ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ପରେ ଅପରାହ୍ନରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ରିଷିଗାଁ ଗ୍ରାମ ପଞ୍ଚାୟତର ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲାପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ବିଡ଼ିଓ ମିଲନ କୁମାର ଝାଙ୍କର, ସ୍ଥାନୀୟ ସରପଞ୍ଚ ସୁବାସ ନାଗ, ଜି ପି ଇ ଓ ଦେବୀ ପ୍ରସାଦ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏହି ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାରୋହରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା ହସିନା ଛତ୍ରିଆକୁ କୋଳରେ ଧରି ଆଶିର୍ବାଦ ପ୍ରଦାନ କରିଥିଲେ । କନ୍ୟାର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ରୋପଣ ପାଇଁ ପ୍ରଦାନ କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥିମାନେ ଭେଟି ଦେଇଥିଲେ । ଏହାପରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ଦୂର କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ ସମସ୍ତଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭାରେ ଅତିଥି ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରବାସୀ ଶ୍ରମିକ ପ୍ରଥାର ଅପକାରିତା ଓ ଏହାକୁ କିଭଳି ଭାବେ ନିରାକରଣ କରାଯାଇ ପାରିବ ସେ ବିଷୟରେ ସୂଚନା ଦେଇଥିଲେ । ଏହା ସହିତ ନୂଆପଡ଼ା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଏସବୁର ବ୍ୟବହାର ନ କରିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଏହା ସହିତ ବିବାହ ତଥା ପର୍ବ ପର୍ବାଣୀରେ ପ୍ଲାଷ୍ଟିକ ଖଲି ଦନା ଗ୍ଲାସ୍ ଇତ୍ୟାଦିର ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏକ ବର୍ତ୍ତନ ବ୍ୟାଙ୍କର ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ । ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ, ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ । ମନରେଗା ଯୋଜନାରେ ଅଧିକ ଦିନ କାମ କରିଥିବା ଶ୍ରମିକମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ଶିବିରକୁ ଖଡିଆଳ ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ ।

Leave A Reply

Your email address will not be published.