ଭୁବନେଶ୍ୱର ପାନ୍ଥ ନିବାସଠାରେ ହକି ବିଶ୍ୱକପ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ପୁରୁଷ ହକି ବିଶ୍ୱକପ-୨୦୨୩ ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଆଜି ୧୧ରେ କଟକରେ ରହିଛି ଉଦ୍‌ଘାଟନୀ ଉତ୍ସବ । ଏହି ପରିପ୍ରେକ୍ଷୀରେ ହକି କ୍ରୀଡାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରି ରହିଛି । ଏହି ପରିପ୍ରେକ୍ଷୀରେ ଅନ୍ୟ ବିଭିନ୍ନ ମାଧ୍ୟମ ଭଳି ଓଡିଶାରେ ହକି ଖେଳର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଯୋଗଦାନ ରଖୁଥିବା ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଗତକାଲି ଏକ ନିଆରା ପ୍ରୟାସ କରାଯାଇଥିଲା ।

ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଟିଡିସି ସହାୟତାରେ କଟକ ଆର୍ଟିଷ୍ଟ ଆସୋସିଏସନ, ତରଫରୁ ଓଡିଶାରେ ହକି କ୍ରୀଡାର ଐତିହ୍ୟ, ପରମ୍ପରା ଏବଂ ହକି ଖେଳକୁ ପର୍ଯ୍ୟବେସିତ କରି ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ଗତକାଲି ଅପରାହ୍ଣରେ ଆୟୋଜିତ ଏହି ଦିନିକିଆ ଚିତ୍ରକଳା ପ୍ରଦର୍ଶନୀରେ କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରୁ ୩୦ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । କେତେକ ପ୍ରଦର୍ଶନୀ ସ୍ଥଳରେ ଚିତ୍ର ଆଙ୍କୁଥିବା ବେଳେ, ଚିତ୍ର ଶିଳ୍ପୀଙ୍କ ଦ୍ୱାରା ହକି ଉପରେ ପର୍ଯ୍ୟବେସିତ ସେମାନେ ଅଙ୍କନ କରି ଆଣିଥିବା ସୁନ୍ଦର ସୁନ୍ଦର ପେଣ୍ଟିଂ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ହକି ଷ୍ଟିକ୍ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶାର ଆରାଧ୍ୟ ଶ୍ରୀଜଗନ୍ନାଥ ଓ ହକି, ବାରବାଟୀ ଦୁର୍ଗ ଓ ହକି, ହକି ବିଶ୍ୱକପ୍ ଓ ଭାରତର ଖେଳାଳି, ହକି ମାସ୍କଟ ଓଲି, ହକି ଷ୍ଟିକ୍ ଆଦିକୁ ନେଇ କାନଭାସ ଓ ତୂଳୀରେ ବିଭିନ୍ନ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ଆକର୍ଷଣୀୟ ବିଭିନ୍ନ ପେଣ୍ଟିଂଙ୍କୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ ।

ଏହି ଚିତ୍ରକଳା ପ୍ରଦର୍ଶନୀ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀକୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଫିତାକାଟି ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ମେୟର ଶ୍ରୀମତୀ ଦାସ, ଓଡିଶାରେ ପୁରୁଷ ହକି ବିଶ୍ୱକପ ୨୦୧୮ ପରେ ଏବେ ୨୦୨୩ରେ ପୁଣିଥରେ ବିଶ୍ୱକପ ଆୟୋଜିତ ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି ବିଶ୍ୱରେ ଓଡିଶାର ଖ୍ୟାତି ବହୁଗୁଣିତ ହୋଇଛି ଓ ସମସ୍ତେ ଉତ୍ସାହର ମାହୋଲରେ ସାମିଲ ହୋଇଛନ୍ତି ବୋଲି ଶ୍ରୀମତୀ ଦାସ ପ୍ରକାଶ କରିବା ସହ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଏହାର ଅନ୍ୟତମ ଝଲକ ବୋଲି କହିଥିଲେ । ଓଟିଡିସି ଅଧ୍ୟକ୍ଷ ଡ. ମହାନ୍ତି ଯୋଗଦେଇ ମୁଖ୍ୟମନ୍ତ୍ରୀ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ସବୁଠି ରୂପାନ୍ତରୀକରଣକୁ ଗୁରୁତ୍ୱ ଦେଉଥିବା ପ୍ରକାଶ କରିବା ସହ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଚିତ୍ରଶିଳ୍ପୀ ଓ ହକି କ୍ରୀଡାକୁ ଉତ୍ସାହିତ କହିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ଓଟିଡିସିର ଡିଭିଜନାଲ ମ୍ୟାନେଜର ଅଂଶୁମାନ ରଥ, ପର୍ଯ୍ୟଟନ ବିଭାଗ, ନିଗମର ଅନ୍ୟ ପଦାଧିକାରୀ ଏବଂ କଟକ ଆର୍ଟିଷ୍ଟ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ଜନସାଧାରଣ ପାନ୍ଥ ନିବାସ ପରିଭ୍ରମଣ କରି ଚିତ୍ରକଳା ଶିବିର ବୁଲି ଦେଖିଥିଲେ ଏବଂ ଫଟୋ ଉଠାଇଥିଲେ ।

Leave A Reply

Your email address will not be published.