ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ‘ବିଶ୍ୱ ମାନବାଧିକାର ଦିବସ’ ଓ ‘ପ୍ରତିଜ୍ଞା ପାଠ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଡ. ରବୀନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଶ୍ରୀମତୀ ପ୍ରଧାନ ସଭାପତିତ୍ୱ ଅଭିଭାଷଣ ସହ ସ୍ୱେଚ୍ଛାସେବୀ ତଥା ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସ୍ୱେଚ୍ଛାସେବୀ ତଥା ଛାତ୍ରଛାତ୍ରୀମାନଙ୍କୁ ‘ବିଶ୍ୱ ମାନବାଧିକାର ଦିବସ’ର ମହତ୍ୱ ଓ ସାଂପ୍ରତିକ ସମୟରେ ମାନବାଧିକାର ସଂକଟ ତଥା ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଥିବା ବେଳେ ସମ୍ମାନିତ ଅତିଥି ଡ. ଜେନା ‘ଜାତୀୟ ସେବା ଯୋଜନା’ ମାନବାଧିକାର ସୁରକ୍ଷା ତଥା ସମାଜ ପ୍ରତି ଏହାର ଏକନିଷ୍ଠ ପ୍ରତିଶ୍ରୁତି ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ‘ଜାତୀୟ ସେବା ଯୋଜନା’ର ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ ଦାୟିତ୍ଵରେ ଥିବା ଅଧ୍ୟାପକ ବନବିହାରୀ କିଶାନ, ଯୁକ୍ତ ୩ ସ୍ତରୀୟ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ତଥା ଅଧ୍ୟାପକ ତରଣୀ ନାୟକ, ଅଧ୍ୟାପକ ଅନୁପ ଏକ୍କା, ଅଧ୍ୟାପକ ଅଶୋକ ସିନ୍ଦୁରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ ମଂଚ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶ୍ରୀ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
Prev Post