ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କେନ୍ଦ୍ର ସରକାରଙ୍କ ତରଫରୁ କୋଭିଡ୍ ସମୟକୁ ନେଇ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାକୁ ନେଇ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଓ ୟୁଏନଡିପିର ଆର୍ଥିକ ସହାୟତାରେ ଆର୍ସିଡ଼ିସି ଓ ଏଫଇଏସ୍ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଗ୍ରାମୀଣ ମହିଳା ସଂଗୋଷ୍ଠୀ ଓ ଚାଷୀଙ୍କ ଦକ୍ଷତା ବୃଦ୍ଧି ସହ ସାମାଜିକ ସୁରକ୍ଷାକୁ ଅଧିକ ଦୃଢ କରିବାକୁ କେନ୍ଦ୍ରୀୟ ଯୋଜନା ସଂପର୍କରେ ସଚେତନ କରାଯାଇଛି । ବିଶେଷ କରି ପ୍ରଧାନମନ୍ତ୍ରୀ ଫସଲ ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ ଧନ ଯୋଜନା, କୃଷି ସିଂଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଜନ କଲ୍ୟାଣକାରୀ ଯୋଜନାର ଲାଭ ନେବାକୁ ସଠିକ୍ ପରାମର୍ଶ ଦିଆଯାଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରାଣୀ ସମ୍ପଦ, ଗୋ ପାଳନ, ମତ୍ସ୍ୟ ଓ ଲଘୁ-ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଏକ ଭିଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା ।
କୋଭିଡ – ୧୯ ପରି ଦୁଷ୍କାଳ ସମୟରେ ଲୋକଙ୍କ ସାମାଜିକ ଏବଂ ଆର୍ଥିକ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଉପରେ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାର୍ତ୍ତାରେ ଆଲୋକପାତ କରିଥିଲେ । କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ ଓ ଭାଗିଦାରିତାକୁ କ୍ରିୟାଶୀଳ କରିବା ସହ ଅର୍ଥକାରୀ ଚାଷ, ପ୍ରାଣୀ ସମ୍ପଦର ସୁରକ୍ଷା, ଗୋପାଳନ, କୁକୁଡା ଓ ବତକ ପାଳନ ଓ ଜୈବିକ ଖତର ପ୍ରୟୋଗ ଏବଂ ଶସ୍ୟ ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେବାକୁ କେଭିକେର ବରିଷ୍ଠ କୃଷି ବୈଜ୍ଞାନିକ ଡ.ଜୀବନଜିତ୍ ସେନ୍ ଆଲୋଚନା କରିଥିଲେ । ସମାଜକର୍ମୀ ସଂବିତ୍ ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଦକ୍ଷତା ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆସ୍ତେରିକା କେର୍କେଟା ଓ ଡିଆରଡିଏର ଏପିଡି ଶୈବାଳିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିବାବେଳେ ବୀରମହାରାଜପୁର, ଉଲୁଣ୍ଡା ଓ ତରଭା ବ୍ଲକର ମହିଳା ସଂଗୋଷ୍ଠୀ ଓ ଚାଷୀ ଅଂଶଗ୍ରହଣ କରିଥିଲେ ।