ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ନଅଗାଁ(ଖ) ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ସୀତା ବିବାହ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ଚନ୍ଦ୍ର ଶିବ ଧନୁ ଭଗ୍ନକରି ମା’ ଜାନକୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଗ୍ରାମର ଧୁବା ସାହୁ ନିଜେ ମିଥିଳା ନରେଶ ସାଜି ମା’ ଜାନକୀଙ୍କୁ କନ୍ୟାଦାନ କରିଥିଲେ । ଗ୍ରାମର ସମସ୍ତେ ଉତ୍କଣ୍ଠାର ସହିତ ପ୍ରଭୁ ରାମଙ୍କ ବିବାହ ପର୍ବରେ ସାମିଲ ହୋଇଥିଲେ । ଧୁବା ସାହୁ ତାଙ୍କ ବାସଭବନରେ ବରଯାତ୍ରୀମାନଙ୍କ ପାଇଁ ଭୋଜିଭାତର ଆୟୋଜନ କରିଥିଲେ । ପ୍ରଭୁ ରାମଚନ୍ଦ୍ରଙ୍କ ବରବେଶ ଖୁବ୍ ମନଲୋଭା ଥିଲା । ବ୍ୟାଣ୍ଡ ବାଜା ବଜାଇ ରାମ, ଲକ୍ଷ୍ମଣ, ସୀତା, ଭରତ, ଶତ୍ରୁଘ୍ନ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ପ୍ରତ୍ୟେକ ଘରେ ପୂର୍ଣ୍ଣକୁମ୍ଭ ସ୍ଥାପନା କରି ନବ ବରବଧୂଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ରାମ ଓ ସୀତାଙ୍କର ପାଦ ଧୋଇ ଆଶୀର୍ବାଦ ନେଇଥିଲେ । ହଜାର ହଜାର ଲୋକ ରାମ ବିବାହର ଆନନ୍ଦ ଉଠାଇ ଥିଲେ । ପାରମ୍ପରିକ ରାମଲୀଳା ଭାଇଚାରାର ଏକ ମାଧ୍ୟମ ବୋଲି ଅନୁଷ୍ଠାନର ସଭାପତି ନରସିଂହ ସାହୁ କହିଥିଲେ । ଆଗାମୀ ଦିନରେ ଯୁବପିଢିଙ୍କ ମଧ୍ୟରେ ଏକ ନୂତନ ଆଲୋଡନ ସୃଷ୍ଟି କରିବ ବୋଲି ଅନୁଷ୍ଠାନର ସମ୍ପାଦକ ସଦାନନ୍ଦ ପଶାୟତ କହିଛନ୍ତି । କଳା ସଂସ୍କୃତିକୁ ବଞ୍ଚାଇବାକୁ ଆମକୁ ଆହୁରି ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ହେବ ବୋଲି ପୂର୍ବତନ ସରପଞ୍ଚ ଗୋପୀନାଥ ଦୀପ କହିଛନ୍ତି ।
Next Post