ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟରେ କୃଷି ଓ କୃଷକଙ୍କୁ ଶସକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ କରିବା ଉପରେ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସହରର ରୟାଲ ପଡିଆଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର କୃଷକ ଓ ଜନସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ରହିବ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଅର୍ଥ, ସଂସଦୀୟ ବ୍ୟାପାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ କୃଷି ଓ କୃଷକ ଆମ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ଅଭିହିତ କରିବା ସହ ରାଜ୍ୟର ଗୌରବ ସହ ଅର୍ଥନୈତିକ ବିକାଶରେ ବିଶେଷ ସହାୟକ ହୋଇଛନ୍ତି, ତଥାପି ଆମକୁ ଚାଷ ସହିତ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ କ୍ଷେତ୍ରରେ ଯୋଗଦାନ ଦେଇ ଗ୍ରାମୀଣ ଅର୍ଥନୈତିକ ବିକାଶ ବୃଦ୍ଧିରେ ଯୋଡ଼ି ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଯୋଗଦେଇ ଚାଷର ରୂପାନ୍ତରଣ ଓ ପରିବର୍ତ୍ତିତ ଉପରେ ଗୁରୁତ୍ୱାରୋପ କରି ଏହି ଜିଲ୍ଲା କୃଷିର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ ତଥା ଜିଲ୍ଲାର କୃଷକ ଅର୍ଥକାରୀ ଫସଲ ଉପରେ ଆଗ୍ରହ ପ୍ରକାଶ କରିବାକୁ ଆହ୍ୱାନ କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ନିଶିପୁନମ ମିଞ୍ଜ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଉତ୍ତରାଞ୍ଚଳ କୃଷି ଅଧିକ୍ଷଣ ଯନ୍ତ୍ରୀ ପୃଥିରାଜ ମହାନ୍ତି ସାଂପ୍ରତିକ ସ୍ଥିତିରେ କୃଷି ଓ କୃଷକଙ୍କ ପାଇଁ ସରକାରଙ୍କର କୃଷି ଯନ୍ତ୍ରପାତି ଉପରେ ପ୍ରଦାନ କରାଯାଉଥିବା ରିହାତି, ବର୍ତ୍ତମାନ କୃଷି କ୍ଷେତ୍ରରେ ଆବଶ୍ୟକତା ଥିବା ନୂତନ ବୈଷୟିକ ଯନ୍ତ୍ରପାତିର ଆବଶ୍ୟକତା ଉପରେ ବହୁ ଉପାଦେୟ ସୂଚନା ପ୍ରଦାନ କରିଥିଲେ । ମନ୍ତ୍ରୀ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ପ୍ରାରମ୍ଭରେ କୃଷି ମେଳାକୁ ଉଦ୍‌ଘାଟନ କରି ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଜିଲ୍ଲା କୃଷି ବିଭାଗ ତରଫରୁ ରିହାତି ଦରରେ ପ୍ରଦାନ କରାଯାଇଥିବା ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚରଦା, ଲକ୍ଷ୍ମୀପ୍ରିୟା ଏସ୍‌ଏଚ୍‌ଜି ଚେରୁପାଲି, ଜନନୀ ଶକ୍ତି ବଡ଼କର୍ଲେ, ମା’ ମହାଲକ୍ଷ୍ମୀ କାଦୋଦର, ମା’ ଘଣ୍ଟେଶ୍ୱରୀ ଝାରତରଭା, ମା’ ଲକ୍ଷ୍ମୀ ସୋନପୁର, ବାବା ଚମ୍ପେଶ୍ୱର ବୀରମହାରାଜପୁର, ବଜରଙ୍ଗ ବଲୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ମାନପତ୍ର ପ୍ରଦାନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ସ୍ମୀତା ପଣ୍ଡା ସଂଯୋଜନା କରିଥିଲେ ।

Leave A Reply

Your email address will not be published.