ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ବାଳିକା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ ଉତ୍ସବ-୨୦୨୩ ମହାସମାରୋହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ପୂର୍ବତ୍ତନ ଅଧ୍ୟକ୍ଷା, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷାବିତ୍‌ ନଳୀନ ରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ପ୍ରଫେସର ପୁଷ୍ପିତା ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ମୀନତି ବେହେରା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଜ୍ଞାନରଞ୍ଜନ ବାହିନୀବତୀ, ସାମାଜିକ କର୍ମୀ ରଶ୍ମିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଅତିଥିମାନେ ଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ସନ୍ତୋଷ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ଵେତା ମିଶ୍ର ମଞ୍ଚ ସଂଯୋଜନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ ସଭାପତିତ୍ଵ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣ ପତ୍ର, ଉପଢୌକନ ଓ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ମହମ୍ମଦ ଖୁରସିଦଙ୍କ ଅନ୍ତରଆତ୍ମାର ସଦଗତି କାମନା କରି ଏକ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଝରଣା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଦୁଇ ଜଣକୁ ଗୁରୁଗୌରବ ଓ ଅନ୍ୟ ଦୁଇ ଜଣକୁ ଛାତ୍ରୀ ଗୌରବ ସମ୍ମାନରେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.