
ରାଉରକେଲା, (ସସ୍ମିତା ପ୍ରଧାନ) : ଅଷ୍ଟମ ବେତନ କମିଟି ସୁପାରିଶ ଅନୁଯାୟୀ ଆଗାମୀ ୧.୧.୨୦୨୬ ତାରିଖରୁ କେନ୍ଦ୍ର ସରକାରଙ୍କ ତରଫରୁ ସାରା ଭାରତବର୍ଷରେ ନୂଆ ପେନସନ ନୀତି ଲାଗୁ ହେବା ପାଇଁ ଯାଉଅଛି,ଯାହାଫଳରେ ପୂର୍ବ ପେନସନ ନୀତି ଅନୁସାରେ ପେନସନଭୋଗୀ ସମସ୍ତ ସରକାରୀ କର୍ମଚାରୀ ମାନେ ବର୍ଦ୍ଧିତ ହାରରେ ପାଉଥିବା ପେନସନ ନ ପାଇ ଏକ ଫିକ୍ସଡ଼ ପେନସନ ରାଶି ପାଇବେ ଯାହା ସାରା ଭାରତବର୍ଷର ପେନସନଭୋଗୀଙ୍କ ମନରେ ଏକ ହତାଶର ଭାବ ସୃଷ୍ଟି କରିଛି । ପୁରାତନ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ବ୍ୟବଧାନ ସହିତ ପେନସନରେ ଅଭିବୃଦ୍ଧି ହେଉଥିଲା, ଯାହା ଫଳରେ ଅବସର ପରେ ବୟସ ବଢିବା ସହ ପରିବାରର ଗୁଜୁରାଣ, ନିଜର ସ୍ୱାସ୍ଥ୍ୟର ଖର୍ଚ୍ଚ ଆଦିରେ ସେତେଟା ଅସୁବିଧା ହେଉନଥିଲା । କିନ୍ତୁ ନୂତନ ପେନସନ ନିୟମରେ ନିର୍ଦ୍ଦିଷ୍ଟ ସମୟ ପରେ ପେନସନରେ ଆଉ କୌଣସି ପ୍ରକାର ଅର୍ଥ ବର୍ଦ୍ଧିତ ହାରରେ ମିଳିବାକୁ ପ୍ରାବଧାନ ନ ଥିବାରୁ ବୟସ ବଢିବା ସହ ପେନସନଭୋଗୀଙ୍କୁ ଅର୍ଥାଭାବ ଗ୍ରାସ କରିବା ସହ ଅକାଳ ମୃତ୍ୟୁକୁ ବରଣ କରିବେ । ସର୍ବଭାରତୀୟ ସ୍ତରରେ ଅଲ ଇଣ୍ଡିଆ ଷ୍ଟେଟ ପେନସନର୍ସ ଫେଡେରେସନ ତରଫରୁ ଦିଆଯାଇଥିବା ଡାକରାରେ ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ଛେଣ୍ଡ ଉମାଶଙ୍କର ପୀଠ ଠାରେ ଆସୋସିଏସନର ସଭାପତି ବିଶ୍ୱମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ଜରୁରୀ ମିଟିଙ୍ଗର ଆୟୋଜନ କରାଯାଇଥିଲା । ଏଥିରେ ଆସୋସିଏସନର ତିରିଶରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ ମିଟିଙ୍ଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା ବେଳେ ଆମନ୍ତ୍ରଣକ୍ରମେ ସହରର ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସାମାଜିକ କର୍ମୀ ପଶୁପତି ଚାଟାର୍ଜି, ଏକତ୍ର ନାଟ୍ୟନୁଷ୍ଠାନର ସଭାପତି ସାହିତ୍ୟିକ ରାଜୀବ ପାଣି, ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଦିଗାମ୍ବର ମହାନ୍ତି, ଇଂ ସୁପ୍ରତିକ ମିଶ୍ର ଓ ଅନ୍ୟ ବୁଦ୍ଧିଜୀବୀମାନେ ମଧ୍ୟ ଯୋଗ ଦେଇ ଏଭଳି ଆଗାମୀ ପେନସନ ଯୋଜନା ପ୍ରତି ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସରକାରୀ କର୍ମଚାରୀ ମାନଙ୍କର ବର୍ଦ୍ଧିତ ପେନସନ ପ୍ରତି ଧ୍ୟାନ ଦେବା ଦାବି ପ୍ରତି ସମର୍ଥନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ପୁରୋହିତ, ପୂଣ୍ଣ୍ରଚନ୍ଦ୍ର ମିଶ୍ର, ମୋହନପାଣି କାରୁଆ ଓ ଅନ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରୀ ଚାକିରିଆ ମାନଙ୍କର ବର୍ଦ୍ଧିତ ପେନସନ ବିଷୟରେ ଦାବି ଜଣାଇଥିଲେ । ଉପସଭାପତି ଯଦୁମଣି ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଆସୋସିଏସନର ସଭାପତି ବିଶ୍ଵମୋହନ ପଟ୍ଟନାୟଙ୍କ ନେତୃତ୍ୱରେ ସମସ୍ତ ସଭ୍ୟମାନଙ୍କର ଦସ୍ତଖତ ସମ୍ବଳିତ ଦାବିପତ୍ର ରାଉରକେଲାର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଏହାର ପୁନର୍ବିଚାର କରିବା ପାଇଁ ଅନୁରୋଧ କରାଯାଇଛି ।