
ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ପାଇଁ ୧୦୯୪ଟି ମୋବାଇଲ ଟାୱାର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କେନ୍ଦ୍ର ରେଳ ଓ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଟବଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଅନୁରୋଧ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ । କନ୍ଧମାଳ ଜିଲ୍ଲାରେ ଅଧିକାଂଶ ଅଞ୍ଚଳ ଦୁର୍ଗମ ଓ ପାହାଡିଆ ଅଞ୍ଚଳ । ୧୦୮ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ୧୦୨, ୧୧୨ ଯୋଗଯୋଗ ସହ ଛାତ୍ରଛାତ୍ରୀମାନେ ଇଣ୍ଟରନେଟ ବ୍ୟବହାର କରି ପାଠ ପଢିବାରେ ଅସୁବିଧା ହେଉଛି, ଏଣୁ ନେଟୱାର୍କ ଅତି ଜରୁରୀ ହୋଇ ଗଲାଣି । ଜିଲ୍ଲାରେ କେବଳ ବିଏସ୍ଏନ୍ଏଲ୍ ଏବଂ ଜିଓ ଦୁଇଟି ନେଟୱାର୍କ ବ୍ୟବସ୍ଥା ଥିବା ସେହି ଦୁଇଟି ନେଟୱାର୍କର ଟାୱାର ନିର୍ମାଣ ହେଲେ ଜିଲ୍ଲାରେ ଥିବା ୮ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇ ପାରିବେ ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ବୈଷ୍ଟବ ମଧ୍ୟ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ସାରିବା ପାଇଁ ଆଶ୍ଵାସନା ଦେଇଥିବା ବେଳେ ଉକ୍ତ କମ୍ପାନୀକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ନେତୃତ୍ୱାଧିନ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଗାଁ ଗାଁରେ ଚାଲିଥିବା ଜନସଚେତନତା ଅଭିଯାନ ବେଳେ ଜନତା ନେଟୱାର୍କ ସଂପର୍କରେ ପଛରେ ଥିବା ବିଷୟ ମଧ୍ୟ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ ।