jayashree

ନାଳ ପାଣି ନିସ୍କାସନ ପାଇଁ ୱାର୍ଡ ନମ୍ବର ୧୪,୧୫ ବୁଲି ସ୍ଥିତି ଅନୁଧ୍ୟାନ କଲେ ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୨ ଦିନ ପୂର୍ବରୁ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪,୧୫ରେ ଅସରାଏ ବର୍ଷାରେ ନାଳ ପାଣି ନିସ୍କାସନ ନ ହୋଇ ଲୋକଙ୍କ ଘରେ ପାଣି ପଶି ଯାଇଥିଲା । ସୋମବାର ଦିନ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ୱାର୍ଡ ନମ୍ବର ୧୪ରେ ହେଉଥିବା ଅସୁବିଧା ବୁଲି ଦେଖିବା ସହ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ୱାର୍ଡ଼ ନମ୍ବର ୧୪ର ବାସିନ୍ଦାମାନେ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

ଏହାକୁ ଆଖି ଆଗରେ ରଖି ମଙ୍ଗଳବାର ଦିନ ସକାଳୁ ଟିଟିଲାଗଡ ତହସିଲଦାର ଡ. ଲଳିତ ବାଗ ଏବଂ ପୌର ନିର୍ବାହୀ ଅଧିକାରୀ ବିପିନ ଦୀପ ୧୪ ନମ୍ୱର ୱାର୍ଡର ନାଳ ପାଣି ନିଷ୍କାସନରେ ଅସୁବିଧା ହେଉଥିବା ସ୍ଥାନକୁ ଯାଇ ବୁଲି ଦେଖିବା ସହ ଏହି ସମସ୍ୟାର ସମାଧାନ ନିମନ୍ତେ ତର୍ଜମା କରିଛନ୍ତି । କିଛି ସ୍ଥାନରେ ନାଳ ମଧ୍ୟ ନ ଥିବା ଯୋଗୁଁ ଏହି ସମସ୍ୟାର ଉତ୍ପତ୍ତି ହେଉଛି ବୋଲି ଜଣାପଡିଛି ।

ସେହିପରି ୱାର୍ଡ ନମ୍ବର ୧୫ର କାଉନସିଲର ସୁନିଲ ଆଚାର୍ଯ୍ୟ ମଧ୍ୟ କେଉଁ କେଉଁ ଠାରେ ନାଳ ପାଣି ନିସ୍କାସନ ହେବାରେ ଅସୁବିଧା ହେଉଛି ସେ ବିଷୟରେ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏହି ସମୟରେ ପୌର ପରିଷଦର କର୍ମଚାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଆଗକୁ ବର୍ଷା ଦିନ ଆସୁଛି, ସେଥିପାଇଁ ପୌର ପରିଷଦ ତରଫରୁ ଯେତେ ଶୀଘ୍ର ନାଳ ନିର୍ମାଣ କରାଯିବ ସେତେ ଲୋକ ଏପରି ଅସୁବିଧାର ସମ୍ମୁଖୀନ ହେବେ ନାହିିଁ ବୋଲି ମତ ପ୍ରକାଶ ପାଇଛି । ଏହି ୧୫ ନମ୍ୱର ୱାର୍ଡରେ ବର୍ଷ ବର୍ଷ ଧରି ଗୋବିନ୍ଦ ମହାନ୍ତିଙ୍କ ଘର ଠାରୁ ବହିଦାରପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଯାଏଁ ଯିବା ଆସିବା ଯୋଗ୍ୟ ନୁହେଁ, କେବଳ ଖାଲ ଖମା ତଥା ପଥର ଆଁ କରି ରହିଛି । ଯଦ୍ଵାରା ଲୋକ ଯିବା ଆସିବା କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଲୋକ କରିବା ପରେ କାଉନସିଲର ଶ୍ରୀ ଆଚାର୍ଯ୍ୟ ଯଥା ଶୀଘ୍ର ଏହି କାମ ଆରମ୍ଭ କରାଯିବ ବୋଲି ଅବଗତ କରାଇଛନ୍ତି ।

Leave A Reply

Your email address will not be published.