ରାଉରକେଲା (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମେତ ଦେଓଗାଁ ଠାରେ ଥିବା ଗାନ୍ଧୀ ମହାବିଦ୍ୟାଳୟ ଏବଂ ରାଉରକେଲା ମହାନାଗର ନିଗମ ଅଞ୍ଚଳରେ ଥିବା ରାଉରକେଲା ମ୍ୟୁନିସିପାଲ କଲେଜରେ କ୍ଲାସ ରୁମ ନିର୍ମାଣ, ଛାତ୍ର ଓ ଛାତ୍ରୀ ମାନଙ୍କ ନିମନ୍ତେ ପୃଥକ ପୃଥକ ଭାବେ ଶୌଚାଳୟ ନିର୍ମାଣ କରିବା ସହିତ ଉଭୟଙ୍କ ପାଇଁ ପୃଥକ ପୃଥକ ଭାବେ ଦୁଇଟି କମନ ରୁମ, ଶିକ୍ଷା ଦାନ କରୁଥିବା ଅଧ୍ୟାପିକା ମାନଙ୍କ ନିମନ୍ତେ ଏକ ଶୌଚାଳୟ ନିର୍ମାଣ କରିବା ଏବଂ କଲେଜରେ ରହି ପାଠ ପଢିବା ପାଇଁ ଚାହୁଁଥିବା ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଆଦି ନିର୍ମାଣ କରିବା ସହିତ କକେଜକୁ ପାଠ ପଢିବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକତା ଅନୁସାରେ କଲେଜରେ ଏକ ଲାଇବ୍ରେରୀ ଆଦି ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଉଅଛି । ଏଠାରେ ସୂଚନା ଯୋଗ୍ୟ କି ଗତ ଦିନରେ କଲେଜରେ କେତେକ ଭିତ୍ତିଭୂମିର ବିକାଶ ପାଇଁ ଇସ୍ପାତ ସ୍ୱୟଂ ଶାସିତ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କଲେଜ କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ଅନୁସାରେ କଲେଜରେ ଭିତ୍ତିଭୂମିର ବିକାଶ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ପାଇଁ ବିଧାୟକ ଦୂର୍ଗା ଚରଣ ତନ୍ତୀ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଦେଶର ଆଗାମୀ କାଲିର ଭବିଷ୍ୟତ ରୂପୀ ଆଜିର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଥିବା ଏହି ମହାବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଥିବାରୁ ବିଧାୟକ ଦୂର୍ଗା ଚରଣ ତନ୍ତୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।