ରାଉରକେଲା, (ସସ୍ମିତା ପ୍ରଧାନ) : ଆଗାମୀ ଫେବୃୟାରୀ ତୃତୀୟ ସପ୍ତାହରେ ରାଜ୍ୟ ସରକାର ହାରାହାରି ୩ଲକ୍ଷ ୨୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କରିବେ ବୋଲି ଆଶା କରାଯାଏ । ବଜେଟ୍ରେ ସାମଗ୍ରିକ ଭାବରେ ବିଭିନ୍ନ ବିଭାଗକୁ ବ୍ୟୟ ବରାଦ କରୁଥିଲେ ମଧ୍ୟ ପ୍ରାଧାନ୍ୟ ରଖୁଥିବା ବିଭିନ୍ନ ଯୋଜନା, ନୂତନ ଅନୁଷ୍ଠାନର ପ୍ରତିଷ୍ଠା, ପୁରାତନ ଅନୁଷ୍ଠାନର ବିକାଶ ପାଇଁ ନିର୍ଦ୍ଦିଷ୍ଟ ରାଶି ବ୍ୟୟ ବରାଦ କରିଥାନ୍ତି । ବିଗତ ଦିନରେ ରାଉରକେଲା ଓଡ଼ିଶାର ତୃତୀୟ ବୃହତ୍ତମ ସହର ସହ ଏକ ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ସତ୍ତ୍ୱେ ସମୃଦ୍ଧ ସହର ଯୋଜନାରେ ସ୍ଥାନ ପାଇ ନ ଥିବାରୁ ଚଳିତ ବଜେଟ୍ରେ ଏହାକୁ ଅନ୍ତର୍ଭୁକ୍ତ କରିବା ସହ ରାଉରକେଲାର ପାର୍ଶ୍ୱାଞ୍ଚଳ ରାଜଗାଙ୍ଗପୁର-ବିରମୁତ୍ରପୁର- ନୂଆଗାଁ-ବିଶ୍ରା-ଲାଠିକଟାକୁ ନେଇ ଉନ୍ନତ ଭିତ୍ତିଭୂମି ସହ ବୃହତ୍ତର ରାଉରକେଲା ଗଠନ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ, ଯାହାକି ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ମଧ୍ୟ ଅପରିହାର୍ଯ୍ୟ । ନିକଟ ଅତୀତରେ ସରକାର (୧) ଭୁବନେଶ୍ୱର-କଟକ-ପୁରୀ (୨) ସମ୍ୱଲପୁର-ଝାରସୁଗୁଡ଼ା-ବରଗଡ଼ (୩) ବ୍ରହ୍ମପୁର-ଗୋପାଳପୁର- ଛତ୍ରପୁର (୪) କୋରାପୁଟ-ସୁନାବେଡ଼ା- ଦାମନଯୋଡ଼ି (୫) ବଡ଼ବିଲ-ଯୋଡା- କେନ୍ଦୁଝର ସହରକୁ ନେଇ ଶିଳ୍ପ କରିଡ଼ର ସ୍ଥାପନ ପାଇଁ ଘୋଷଣା କରିଛନ୍ତି । ହେଲେ ରାଉରକେଲା ଓଡ଼ିଶାର ଶିଳ୍ପ ରାଜଧାନୀ ଭାବେ ପରିଚିତ ହୋଇଥିଲେ ମଧ୍ୟ ରାଉରକେଲାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନଥିବାରୁ ବର୍ତ୍ତମାନ ବୀରମିତ୍ରପୁର-ରାଉରକେଲା-ରାଜଗାଙ୍ଗପୁରକୁ ସାମିଲ କରାଯାଉ । ଗତ ବଜେଟ୍ରେ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ, ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟାର ଆଜିର ବିକାଶ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନ ବା ଅଂଚଳ ପାଇଁ ନିର୍ଦ୍ଦିଷ୍ଟ ଭାବରେ ଅନୁଦାନ ରାଶି ଘୋଷଣା କରିଥିଲେ । ତେଣୁ ସେହି ମର୍ମରେ ରାଉରକେଲାରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର, ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମେଡିକାଲ କଲେଜ ସ୍ଥାପନ, ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା, ବିପିୟୁଟିରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ବେଦବ୍ୟାସକୁ ଏକ ଜାତୀୟ-ଅନ୍ତର୍ଜାତୀୟ ଧାର୍ମିକ-ଐତିହ୍ୟ-ଆଧ୍ୟାତ୍ମିକ- ପର୍ଯ୍ୟଟନ ସ୍ଥଳ ଭାବେ ବିକାଶ, ଆଇଟି ଓ ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମିର ବିକାଶ, ଇତ୍ୟାଦି ବହୁ ପ୍ରତିକ୍ଷୀତ ଦାବିକୁ ଗୁରୁତ୍ୱ ଦେଇ ଅନୁଦାନ ସହ ଯୋଜନା ବଜେଟ୍ରେ ସ୍ଥାନିତ ହେଉ । ଏହା ବ୍ୟତୀତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଇଠଷ୍ଟ୍ରିୟାଲ ପାର୍କ, ଜିଲ୍ଲାରେ ମଲ୍ଟି ଲଜିଷ୍ଟିକ ପାର୍କ, କୃଷି ଗବେଷଣା କେନ୍ଦ୍ର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବାସଗୃହ ଯୋଜନା, ଜିଲ୍ଲାରେ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ, ଦକ୍ଷତା ବୃଦ୍ଧି କେନ୍ଦ୍ର, ଅଟୋମୋବାଇଲ୍, ରସାୟନ-ପ୍ଲାଷ୍ଟିକ, ସେମିକଠକ୍ଟର, ଡାଟା ସେଣ୍ଟର, ଭଳି ଶିଳ୍ପ ସ୍ଥାପନ ସହ କଳା-ସାହିତ୍ୟ-ସଂସ୍କୃତିର ବିକାଶ ପାଇଁ ଭିତ୍ତିଭୂମି ଇତ୍ୟାଦି ପାଇଁ ବିଧିବଦ୍ଧ ଅନୁଦାନ ସହ ଯୋଜନା ରୂପାୟିତ କରନ୍ତୁ । ଏହି ମର୍ମରେ ଥିଂକର୍ସ ଫରୋମ୍ ତରଫରୁ ଆବାହକ ନଳିନୀକାନ୍ତ ଧର, ଭାରତ ଭୂଷଣ ମହାନ୍ତି, ଡ. ସୁମନ ଦତ୍ତ, ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ବଜେଟ୍ ସମ୍ୱନ୍ଧୀୟ ପ୍ରସ୍ତାବ ଅର୍ଥମନ୍ତ୍ରୀକୁ ଦେବା ସହ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।