ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଏକମାତ୍ର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ ହେଉନି ଉନ୍ନୟନମୂଳକ କାମ । ଅନୁଦାନ ଆସୁଛି କିନ୍ତୁ ଖର୍ଚ୍ଚ ନ ହୋଇ ପଡିରହୁଛି । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଆୟୁର୍ବେଦିକ ମହାବିଦ୍ୟାଳୟର ଉନ୍ନତିମୂଳକ କାମ ହେଉ ନଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ପୁରାତନ ଛାତ୍ର ସଂଗଠନ । ଏନେଇ ବୁଧବାର ସକାଳେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହାର ସୂଚନା ଦେଇଛି । ସୂଚନା ଅନୁସାରେ ସରକାରୀ ଆୟୁର୍ବେଦିକ କଲେଜ ବଳାଙ୍ଗିରରେ ସୋଲାର ଲାଗିବା ପାଇଁ ୨୨ ଲକ୍ଷ ୫୦ ହଜାର, ପଞ୍ଚକର୍ମ ଚିକିତ୍ସା ପାଇଁ କୋଠା ନିର୍ମାଣ ବାବଦକୁ ୯୬ ଲକ୍ଷ ୯୧ ହଜାର ୫୦୦ ଟଙ୍କା ପାର୍କିଂ ଏବଂ ଶ୍ରେଣୀଗୃହ ନିର୍ମାଣ ପାଇଁ ୫ କୋଟି ୪୨ ଲକ୍ଷ ୩୪ ହଜାର ଟଙ୍କା, କମ୍ପାଉଣ୍ଡ ୱାଲ ପାଇଁ ୨୩ ଲକ୍ଷ ୬୧ ହଜାର ଟଙ୍କା, ଲାଇବ୍ରେରୀ କମ ଅଡିଟୋରିୟମ ପାଇଁ ୧୪ କୋଟି ୫୩ ଲକ୍ଷ ୫୯ ହଜାର ଟଙ୍କା, ଡିପାର୍ଟମେଣ୍ଟ ବିଲ୍ଡିଂ ପାଇଁ ୧ କୋଟି ୫୬ ଲକ୍ଷ ୧୩ ହଜାର ଟଙ୍କା, କମ୍ପାଉଣ୍ଡ ୱାଲର ମୁଖ୍ୟ ଫାଟକ ଏବଂ ହର୍ବାଲ ବଗିଚାକୁ ରାସ୍ତା ପାଇଁ ୧ କୋଟି ୩୭ ଲକ୍ଷ ୭ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ଜିଲ୍ଲା ମୁଖ୍ୟ ଆୟୁର୍ବେଦିକ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧ କୋଟି ୩୫ ଲକ୍ଷ ୧୩ ହଜାର ଟଙ୍କା ଅନୁଦାନ ଆସିଥିବା ଜଣାପଡିଛି । ଏତେ ଅନୁଦାନ ରହିଥିଲେ ହେଁ ତାକୁ କାର୍ଯ୍ୟକାରୀ କରାନଯାଇ ପକାଇ ଦିଆଯିବା ଅତ୍ୟନ୍ତ ଦୁଖଃର ବିଷୟ ବୋଲି ପୁରାତନ ଛାତ୍ର ସଂଘ କହିଥିଲା । ଯଥାଶୀଘ୍ର ଏହି ଟଙ୍କାକୁ ବିନିଯୋଗ କରାଯାଇପାରିଲେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଏକ ନୂଆ ରୂପରେ ଝଲସି ଉଠିବ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା । ଏହି ସମ୍ମିଳନୀ ପୁରାତନ ଛାତ୍ର ସଂଘର ସଭାପତି ଡ.ବାସୁଦେବ ପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଡ. ବିପିନ ବିହାରୀ ମିଶ୍ର, ଡ. ପ୍ରମୋଦ ମିଶ୍ର, ଡ. ଚକ୍ରପାଣି ଦାସ, ଡ. ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।