ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅନ୍ତିମ ଦିନ : ସବୁଠି ଏକାଧିକ ଆଶାୟୀ ପ୍ରାର୍ଥୀ, ଦଳୀୟ ନେତାଙ୍କ ପାଇଁ ହୋଇଛି ମୁଣ୍ଡବିନ୍ଧା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ସହିତ ଯାଞ୍ଚକାର୍ଯ୍ୟ ଶେଷ ହୋଇଛି । ଏବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ଥିବାବେଳେ ପ୍ରତ୍ୟାହାର କିଏ କରିବ ନକରିବ ତାହାକୁ ନେଇ ରାଜନୀତି ସରଗରମ ହୋଇ ପଡିଛି । ଖପ୍ରାଖୋଲ ବ୍ଲକର ୨୧ଟି ପଞ୍ଚାୟତ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସମର୍ଥନରେ ବିଭିନ୍ନ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସରପଞ୍ଚ ଓ ସମିତିସଭ୍ୟ ପାଇଁ ବହୁ ସଂଖ୍ୟକ ଆଶାୟୀ ପ୍ରାର୍ଥୀ ଏଥର ଦେଖିବାକୁ ମିଳିଛି । ଏପରିକି ଗୋଟିଏ ଗୋଟିଏ ପଞ୍ଚାୟତରେ ସରପଞ୍ଚ ଏବଂ ସମିତିସଭ୍ୟ ପାଇଁ ୧୦ରୁ ଅଧିକ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜାଣିବାକୁ ମିଳିଛି । ଯେଉଁ ଜାଗାରେ ବିଦ୍ରୋହୀ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେମାନଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବଡ଼ ନେତାଙ୍କ ପକ୍ଷରୁ ମଧ୍ୟ ଚାପ ଦିଆଯାଉଛି । କେତେକ ସ୍ଥାନରେ ବଡବଡିଆ ମାନେ ରାତି ଅଧିଆ ପ୍ରାର୍ଥୀ ମାନଙ୍କ ପାଖକୁ ବିଜେ କରୁଥିବା ଜାଣିବାକୁ ମିଳୁଛି । ଏଥିପାଇଁ ମୂଳଚାଲ ଆରମ୍ଭ ହୋଇଛି । ଜଣେ ବ୍ୟକ୍ତି ସରପଞ୍ଚ ସହିତ ସମିତି ସଭ୍ୟ ପାଇଁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଏହାକୁ ନେଇ କେତେକ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି କେତେକ ସ୍ଥାନରେ ନିଜ ପଞ୍ଚାୟତରେ ଅନ୍ୟ ପଞ୍ଚାୟତର ପ୍ରାର୍ଥୀ ଠିଆ ହୋଇଥିବାରୁ ସମ୍ପୃକ୍ତ ପଞ୍ଚାୟତର ପ୍ରାର୍ଥୀମାନେ ଏନେଇ ଦଳୀୟ ନେତାଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିଜେ ନିଜ ପଞ୍ଚାୟତର ପ୍ରାର୍ଥୀ ହେବା ପାଇଁ ଦୀର୍ଘଦିନ ଧରି ସଂଗଠନ କରିବା ସହିତ ଅର୍ଥ ବ୍ୟୟ କରିଥିବା ବେଳେ ବାହାର ପଞ୍ଚାୟତର ପ୍ରାର୍ଥୀଙ୍କୁ ଅସହଯୋଗ କରିବା ନେଇ ଖୋଲାଖୋଲି ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ରାଜନୈତିକ ଦଳ ଗୁଡିକ ପଞ୍ଚାୟତ ନିର୍ବାଚନ ପାଇଁ ଦୀର୍ଘଦିନ ଧରି ସେମାନଙ୍କର ରଣନୀତି ଚଳେଇ ଆସୁଛନ୍ତି । ନିଜ ଦଳର ପ୍ରାର୍ଥୀ ମାନଙ୍କୁ ବିଜୟ କରାଇ ଦଳ ଗୁଡିକ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଖପ୍ରାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଣସଂରକ୍ଷିତ ରହିଥିବା ବେଳେ ଏହି ପଦକୁ ହାତେଇବା ପାଇଁ ସବୁ ଦଳର ଲକ୍ଷ୍ୟ ରହିଛି । ବିଗତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ନିର୍ବାଚନ ପ୍ରତିଦ୍ୱନ୍ଦିତା ହୋଇ ଆସୁଥିବା ବେଳେ ଚଳିତ ବର୍ଷ ବହୁଜନ ସମାଜବାଦୀ ପାର୍ଟି ପ୍ରତିଦ୍ୱନ୍ଦିତାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ମଧ୍ୟରେ ଚଳିତ ନିର୍ବାଚନରେ କଡା ମୁକାବିଲା ହେବ ବୋଲି ସବୁଠି ଚର୍ଚ୍ଚା ହେଉଛି । ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ଜୋର୍‌ସୋର୍‌ ଉଦ୍ୟମ ଆରମ୍ଭ ହୋଇଛି । ଦଳୀୟ ସମର୍ଥିତ ପ୍ରାର୍ଥୀ କେତେଦୂର ନିଜ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମନେଇ ପାରୁଛନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ତାହା ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.