om academy

ଘଣ୍ଟିଗୁଡା ଗ୍ରାମ୍ୟ ପାର୍କ ନିର୍ମାଣରେ ଅନିୟମିତତା ଓ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ

jsm

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ପଞ୍ଚାୟତ ତରଫରୁ ସ୍ଥାନୀୟ ଚଲନା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଗ୍ରାମ୍ୟ ପାର୍କ ନିର୍ମାଣ ହେଉଥିବା ବେଳେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଉକ୍ତ କାର୍ଯ୍ୟ ବିନା ସୂଚନା ଫଳକରେ ହେବା ସହ ନିମ୍ନମାନର ହେଉଥିବା ବେଳେ ଦୁର୍ନୀତିକୁ ଲୁଚାଇବା ପାଇଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଫଟା କାନ୍ଥବାଡ଼ ଉପରେ ଚୁନଲେପ ଦିଆଯାଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସାଧାରଣ ଜନତାଙ୍କ ଅବଗତି ନିମନ୍ତେ କାର୍ଯ୍ୟର ସବିଶେଷ ବିବରଣୀ ଆଧାରିତ ଏକ ସୂଚନା ଫଳକ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଏଠାରେ ତାର ବ୍ୟତିକ୍ରମ ଦେଖାଯାଇଛି । ଉକ୍ତ କାର୍ଯ୍ୟଟି ଅଠର ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ହେଉଥିବା ଜଣାପଡିଛି । ସେହିପରି ନିର୍ମାଣ କାର୍ଯ୍ୟ ମଧ୍ୟ ନିମ୍ନମାନର ହେଉଛି, ବାଡ଼ ନିର୍ମାଣରେ ନିର୍ଦ୍ଧାରିତ ଅନୁପାତରେ ବାଲିରେ ସିମେଣ୍ଟ ଦିଆଯାଉ ନାହିଁ । ଫଳରେ କାନ୍ଥର ପ୍ଲାଷ୍ଟର ହାତରେ ଘସିଦେଲେ ଖସି ପଡୁଛି । କାନ୍ଥରେ ପାଣି ମଧ୍ୟ ସିଞ୍ଚନ କରାଯାଇ ନାହିଁ । ଫଳରେ କାନ୍ଥର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପାର୍କର ବାଡ଼ ନିର୍ମାଣରେ ମୋଟ ୫୨ ଗୋଟି କଲମ କରାଯାଇ ଥିବା ବେଳେ ୪୭ ଗୋଟି କାନ୍ଥଖଣ୍ଡ ନିର୍ମାଣ ହେଉଛି । ହେଲେ ନିମ୍ନମାନର ନିର୍ମାଣ ଯୋଗୁଁ ୨୧ ଖଣ୍ଡ କାନ୍ଥରେ ଫାଟ ଦେଲାଣି । ନିର୍ମାଣ ନସରୁଣୁ ନୂତନ କାନ୍ଥରେ ଫାଟକୁ ନେଇ ନିମ୍ନମାନର କାର୍ୟ୍ୟ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ଏ ବିଷୟକୁ ନେଇ ସିନାପାଲି ବିଡ଼ିଓଙ୍କୁ ଅବଗତ କରାଯାଇଥିବା ବେଳେ ତାର ପୁନଃନିର୍ମାଣ କରାଯିବ ବୋଲି ପ୍ରକାଶ କରି ତୁରନ୍ତ କାର୍ଯ୍ୟସ୍ଥଳକୁ ପରିଦର୍ଶନରେ ଯାଇ ତାଗିଦ କରିଥିବା ଜଣାପଡ଼ିଛି । କିନ୍ତୁ ବିଡ଼ିଓଙ୍କ ତାଗିଦ ପରେ ଉକ୍ତ ନିମ୍ନମାନରେ ନିର୍ମାଣ କାର୍ଯ୍ୟର ଖସୁଥିବା ପ୍ଲାଷ୍ଟର ଓ ଫାଟକୁ ଲୁଚାଇବା ପାଇଁ ନିର୍ମାଣ ଦାଇତ୍ୱରେ ଥିବା ସ୍ଥାନୀୟ ସରପଞ୍ଚ ତଥା ବ୍ୟକ୍ତି ବିଶେଷ ଚୁନଲେପ ଦିଆଯାଉଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ନିର୍ମାଣାଧୀନ ଥିବା ଅସମ୍ପୂର୍ଣ୍ଣ କାନ୍ଥବାଡ଼ରେ ଚୁନଲେପ ଦେବାର ଅସଲ ଉଦ୍ଧେଶ୍ୟ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପକ୍ଷରେ ଦୁର୍ନୀତିକୁ ଲୁଚାଇବାର ଏହା ଏକ ପ୍ରଶାସନିକ ତରିକା ବୋଲି ଚର୍ଚ୍ଚା ଜୋର ଧରିଛି । ନୂଆପଡା ଜିଲାପାଳ ଗତ ୫ତାରିଖ ଦିନ ସିନାପାଲି ଗସ୍ତରେ ଆସି ଏହି ପାର୍କ ପରିଦର୍ଶନ କରି ଠିକ ଭାବେ କାର୍ୟ୍ୟ ସମ୍ପାଦନ କରିବା ପାଇଁ ସ୍ଥାନୀୟ ସରପଞ୍ଚ, କାର୍ୟ୍ୟନିର୍ବାହୀ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଏଠାରେ ପାଣିର ଗାର ପାଲଟି ଯାଇଛି । ନିର୍ମାଣ ଦାୟିତ୍ୱରେ ଥିବା ସ୍ଥାନୀୟ ସରପଞ୍ଚ, କାର୍ୟ୍ୟନିର୍ବାହୀ ଅଧିକାରୀ ଓ ବିଭାଗୀୟ ଅଧିକାରୀ କର୍ମଚାରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶକୁ ଖାତିର କରୁନାହାନ୍ତି । ଏଣୁ ନୂଆପଡା ଜିଲାପାଳ ପୁନଃ ଏହି ପାର୍କକୁ ନିଜେ ପରିଦର୍ଶନରେ ଆସି ନିମ୍ନମାନର ନିର୍ମାଣ କାର୍ଯ୍ୟ ତଦାରଖ କରି ସଂପୃକ୍ତ ଅଧିକାରୀ ଓ ଜନପ୍ରତିନିଧିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି । ପୁଣି ଏଠାରେ ଲକ୍ଷାଧିକ ଟଙ୍କା ଅଟକଳ ମୂଲ୍ୟରେ ଏକ ସ୍ୱିମିଙ୍ଗ ପୁଲ ନିର୍ମାଣ କରାଯିବାର ମଧ୍ୟ ଯୋଜନା ରହିଛି । ସ୍ୱିମିଙ୍ଗ ପୁଲ ପାଇଁ ଗାତ ଖନନ ମଧ୍ୟ ଆରମ୍ଭ ହୋଇଛି । ସେହି ଖନନ ମାଟିକୁ ପାର୍କ ସମ୍ମୁଖରେ ଓ ମନ୍ଦିର ପରିସରରେ ପକାଇ ସମତୁଲ କରିବାର ଆବଶ୍ୟକ ମଧ୍ୟ ରହିଛି । କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ସରପଞ୍ଚ, କାର୍ୟ୍ୟନିର୍ବାହୀ ଅଧିକାରୀ ଓ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ସେହି ଖନନ ମାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରି ରାସ୍ତାନିର୍ମାଣ କରାଯାଉଛି, ତାହା ମଧ୍ୟ ବିନା ଅନୁମୋଦନ କ୍ରମେ ଚାଲିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୈରବ ଚରଣ ବାଗ ପ୍ରକାଶ କରିଛନ୍ତି । ସରକାରୀ ନିୟମ ଅନୁସାରେ ବିନା ଅନୁମୋଦନରେ କୌଣସି ଉନ୍ନୟନ ମୂଳକ କାର୍ୟ୍ୟ ନହେବା କଥା । କିନ୍ତୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଜାଣତରେ କିପରି ଉନ୍ନୟନ ମୂଳକ କାର୍ୟ୍ୟ ଚାଲିଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସବୁ ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ଉକ୍ତ କାର୍ୟ୍ୟକୁ କିଛିଦିନ ସ୍ଥଗିତ କରି ପୁଣି କାର୍ୟ୍ୟ ସମ୍ପାଦନ କରିଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଏଠାରେ ଯେ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ମନମୁଖୀରେ ଏକଚାଟିଆ କାରବାର ଚାଲିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଉକ୍ତ ସ୍ଥାନରେ ପାରଦେଶ୍ୱର ଶିବମନ୍ଦିର ଥିବାରୁ ପ୍ରତିବର୍ଷ ଶୀତଳ ଷଷ୍ଠୀ ବା ଶିବ ବିବାହ କାର୍ୟ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଥାଏ । ଦୂରଦୂରାନ୍ତରୁ ହଜାର ହଜାର ଲୋକଙ୍କ ଏଠାରେ ସମାଗମ ଦେଖିବାକୁ ମିଳିଥାଏ । ଉକ୍ତ ସ୍ଥାନରେ ପାର୍କ ଓ ସ୍ୱିମିଙ୍ଗପୁଲ ନିର୍ମାଣ ହେବା ଦ୍ୱାରା ବହୁତ ଆକର୍ଷଣୀୟ ହୋଇପାରିବ ଏବଂ ଆଗାମୀ ଦିନରେ ଆହୁରି ଅଧିକା ଜାକଜମକରେ କାର୍ୟ୍ୟକ୍ରମ ପାଳିତ ହୋଇପାରିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏଣୁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏହି ନିର୍ମାଣ କାର୍ୟ୍ୟ ପ୍ରତି ଦୃଷ୍ଟି ଦେଇ ଦୁର୍ନୀତି ଗ୍ରସ୍ତ ଅସାଧୁ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧଶରଣରେ ଦାବୀ ହେଉଛି ।

Leave A Reply

Your email address will not be published.