ବିଦ୍ୟୁତ୍ ଆଘାତରେ ମୃତ ଯୁବକର ଶବ ରଖି ଆନ୍ଦୋଳନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର କିଶୋର ପଡା ଅନ୍ତର୍ଗତ ଜଳନ୍ଧର ପାତ୍ରଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହେବା ଫଳରେ, ଶବକୁ ଜୟପାଟଣା ମୁଖ୍ୟରାସ୍ତାରେ ରଖି ଲୋକେ ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳିଛି । ଫଳରେ ରାସ୍ତାରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନ ଅଟକି ରହିଥିବା ବେଳେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ସ୍ଵାଭାବିକ କରାଯାଇଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା କିଶୋରପଡା ଅନ୍ତର୍ଗତ ଜଳନ୍ଧର ପାତ୍ର (୨୨) ଆକସ୍ମିକ ଭାବରେ ଜୟପାଟଣା ଖଇରମାଳ ମୁଖ୍ୟ ରାସ୍ତାରେ ଅବସ୍ଥିତ ଏକ ବିଦ୍ୟୁତ୍ ଖୁଣ୍ଟ ଉପରେ ହାତମାରି ଦେବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କଲାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ମୃତକଙ୍କ ସ୍ତ୍ରୀ ଗର୍ଭବତୀ ଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ପ୍ରଥମେ ବିଦ୍ୟୁତ୍ କାର୍ଯ୍ୟାଳୟ ଓ ପରେ ଜୟପାଟଣା ମୁଖ୍ୟ ରାସ୍ତା ଶିବ ମନ୍ଦିର ଛକ ସମ୍ମୁଖରେ ଶବ ରଖି ଲୋକେ ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳିଛି । ଆନ୍ଦୋଳନର ୧ ଘଣ୍ଟା ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିବା ଆଲୋଚନା ହେଉଛି । ମୃତକ ଏକମାତ୍ର ରୋଜଗାରକ୍ଷମ ଓ ଘରେ ପ୍ରସବା ସ୍ତ୍ରୀ ରହିଥିବାରୁ ଲୋକେ ସରକାରୀ ସହାୟତା ସହ କ୍ଷତିପୂରଣ ପାଇଁ ଦାବୀ କରୁଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.