ଦରମା ତାରତମ୍ୟ ନେଇ ଅସନ୍ତୋଷ : ୬୬୨ ବର୍ଗ କଲେଜ ସଂଘର ଆନ୍ଦୋଳନ ଡାକରା, ୧୩ରୁ ଭୁବନେଶ୍ୱରରେ ଅହୋରାତ୍ର ଧାରଣା

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀଙ୍କ ଗ୍ରାଣ୍ଟଇନ୍‌ ଏଡ୍‌ ବୃଦ୍ଧି କରିଥିବା ବେଳେ ଏଥିରେ ଥିବା ଦରମା ତାରତମ୍ୟକୁ ନେଇ ୬୬୨ ବର୍ଗ କଲେଜ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହାର ପ୍ରତିବାଦରେ ୬୬୨ ବର୍ଗ କଲେଜ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଅଧ୍ୟାପକମାନେ ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ପିଏମ୍‌ଜି ଛକଠାରେ ଅହୋରାତ୍ର ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ କାର୍ଯ୍ୟ କରି ଆସୁଛନ୍ତି । ମାତ୍ର ସରକାରଙ୍କ ପକ୍ଷରୁ ସେମାନଙ୍କର ଚାକିରି ସର୍ତ୍ତାବଳୀ ଏବଂ ପେନ୍‌ସନ୍‌ ବ୍ୟବସ୍ଥା କରାଯାଇନାହିଁ । ଫଳରେ ସେମାନେ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ସୁବିଧା ସୁଯୋଗ ପାଇବାରୁ ବଂଚିତ ହୋଇଆସୁଛନ୍ତି । ବହୁ ଅଧ୍ୟାପକ ଏବଂ କର୍ମଚାରୀ ଅବସର ନେଇ ସାରିଥିବା ବେଳେ ଏବେ ସେମାନେ ବିନା ପେନ୍‌ସନ୍‌ରେ ଦୟନୀୟ ଜୀବନ ବିତାଉଛନ୍ତି । ରାଜ୍ୟ ସରକାର ଗତ ୨୧ ତାରିଖରେ ନେଇଥିବା କ୍ୟାବିନେଟ ନିଷ୍ପତ୍ତିରେ ୪୮୮ ବର୍ଗ କଲେଜର ଅଧ୍ୟାପକ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବା ବେଳେ ୬୬୨ ବର୍ଗ ଅଧ୍ୟାପକଙ୍କ ଦରମା ବୃଦ୍ଧି କରିନଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୬୬୨ ବର୍ଗ ଅଧ୍ୟାପକମାନେ ୪୬୦୦ ଗ୍ରେଡ ପେ ପାଉଥିଲା ବେଳେ ସେମାନେ ୪୮୮ ବର୍ଗ ମହାବିଦ୍ୟାଳୟର ପିଇଟି, ଡେମନ୍‌ଷ୍ଟ୍ରେଟର ଏବଂ ଲାଇବ୍ରେରିଆନ୍‌ଙ୍କଠାରୁ କମ୍‌ ଦରମା ପାଇବେ ବୋଲି ଜଣାପଡିଛି । ୬୬୨ ବର୍ଗର ଅଧ୍ୟାପକମାନେ ନିଯୁକ୍ତିରେ ବରିଷ୍ଠ ଏବଂ ସେମାନଙ୍କର ଜିଓ ପ୍ରଥମେ ବାହାରିଥିବାରୁ ସେମାନେ ୪୮୮ ବର୍ଗଠାରୁ ବରିଷ୍ଠ ଅଟନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ ୪୮୮ ବର୍ଗଠାରୁ କଲେଜ ଠାରୁ ୧୦ ହଜାର ଟଙ୍କା ଦରମା କମ୍‌ ରହିଥିବାରୁ ସଂଘ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରିବା ସହ ସେ ସମାନ କାମକୁ ସମାନ ଦରମା ଦାବୀରେ ସଂଘ ପକ୍ଷରୁ ଗତ ୨୨ ତାରିଖରୁ କଳା ବ୍ୟାଚ୍‌ ପିନ୍ଧି ପ୍ରତିବାଦ କରାଯାଇ ଆସୁଛି । ସେହିପରି ଗତ ୨୫ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଆସନ୍ତା ୧୩ ତାରିଖରୁ ବଲାଙ୍ଗିର ଜିଲ୍ଲାର ୬୬୨ ବର୍ଗର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଏବଂ କର୍ମଚାରୀମାନେ ଏହି ଆନ୍ଦୋଳନରେ ସାମିଲ ହେବା ସହିତ ଭୁବନେଶ୍ୱର ପିଏମ୍‌ଜି ଠାରେ ହେବାକୁଥିବା ଅହୋରାତ୍ର ଧାରଣାରେ ସାମିଲ ହେବେ ବୋଲି ବଲାଙ୍ଗିର ଜିଲ୍ଲା ୬୬୨ ସଂଘ ସଭାପତି ପ୍ରଣବ କୁଅଁର, ସମ୍ପାଦକ ଛବିଳ ବଗର୍ତ୍ତୀ, ଉପସଭାପତି ଶାନ୍ତନୁ ପାତ୍ର, ରାଜେଶ ମିଶ୍ର, ସହସମ୍ପାଦକ ପ୍ରମୋଦ ବଡପଣ୍ଡା, କୋଷାଧ୍ୟକ୍ଷ ଶିବପ୍ରସାଦ ପାଢୀ ପ୍ରମୁଖ ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.