ଏସ୍‌ପିଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲା ବିଜେପି

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଗତକାଲିଠାରୁ ପାଟଣାଗଡ଼ ଥାନା ଆଗରେ ଧାରଣା ଦେଉଥିଲେ ବିଜେପି କର୍ମୀ ଓ ନେତା । ଅହୋରାତ୍ର ଧାରଣାରେ ବସିଥିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂଦେଓ । ଏସ୍‌ପି ଆସି ଆଇନ ଶୃଙ୍ଖଳା ସ୍ଥିତି ଦେଖିଯାଆନ୍ତୁ ବୋଲି ଦାବୀ କରାଯାଇଥିଲା ବିଜେପି ପକ୍ଷରୁ । ମାତ୍ର ଗତକାଲି ଏସ୍‌ପି ପାଟଣାଗଡ଼ ଥାନାକୁ ଆସି ନଥିବା ବେଳେ ରାତି ତମାମ୍ ଥାନା ଆଗରେ ଧାରଣାରେ ବସିଥିଲେ ବିଜେପି କର୍ମୀ ଓ ନେତା । ବିଲମ୍ବିତ ରାତିରେ ଥାନା ଆଗରେ କୀର୍ତ୍ତନ କଲେ ବିଜେପି କର୍ମୀ । ଆଜି ଧାରଣାର ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିଥିବା ବେଳେ ଆନ୍ଦୋଲନକାରୀଙ୍କ ସହ ଆଲୋଚନା ପାଇଁ ଅତିରିକ୍ତ ଏସ୍‌ପି ସୁରେଶ ନାୟକ ଆସିଥିଲେ । କିନ୍ତୁ ଆନ୍ଦୋଳନକାରୀ ଜିଦ୍ କଲେ, ଏସ୍‌ପି ଆସିଲେ ସେମାନେ ଧାରଣାରୁ ଉଠିବେ । ଜିଲ୍ଲା ସଭାପତିଙ୍କ ସହ ବହୁ ବିଜେପି ନେତା ଧାରଣାରେ ବସିଥିବା ବେଳେ ବଣିକ ସଂଘ, ସିଟିଜନ କମିଟି ଓ ପ୍ରେସ କ୍ଲବ ମଧ୍ୟ ଧାରଣାକୁ ସମର୍ଥନ ଜଣାଇଥିଲେ । ଏହାରି ଭିତରେ ଅନେକ ମହିଳା କର୍ମୀ ମହିଳା ପୋଲିସ କର୍ମଚାରୀଙ୍କୁ ଚୁଡିୁ ପିନ୍ଧାଇବାକୁ ଉଦ୍ୟମ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଥାନା ପରିସରରେ ବଢୁଥିବା ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଶେଷରେ ବଲାଙ୍ଗିର ଏସ୍‌ପି ନିତିନ କୁଶଳକର ପହଂଚି କନକବର୍ଦ୍ଧନଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଛି ବିଜେପି । ପୋଲିସ ପ୍ରଶାସନକୁ ସାତ ଦିନର ମହଲତ ଦିଆଯାଇଥିବା ସୂଚନାରେ କୁହାଯାଇଛି । ନଚେତ୍‌ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି । ଏହି ଘେରାଉରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସମେତ ଲକ୍ଷଣ ବାଗ, ମୁକେଶ ଜୈନ, ଅମିତ ସିଂ ନିନା, ମହିଳା ନେତ୍ରୀ ପଙ୍କଜିନି ପଣ୍ଡା, ମାଧବ ସାଏ, କରମ ସିଂ ସରାଫ, ପ୍ରବୀଣ ଅଗ୍ରୱାଲ, ଦେବକାନ୍ତ ପାଣିଗ୍ରାହୀ, ଗୋପ ସାହୁ, ରବି ସାହୁ, ଉପେନ୍ଦ୍ର ଭୋଇ, ପଙ୍କଜ ଭୋଇ, ଜ୍ଞାନେନ୍ଦ୍ର ସାଏ, ଅବଦୁଲ ସିରାଜ ମହମ୍ମଦ, ପ୍ରବୋଧା ପାଣିଗ୍ରାହୀ, ମାଣ୍ଡୁ ଯୋଶୀ, ସନ୍ତୋଷ ମେହେର, ରାଜୁ ପାଣିଗ୍ରାହୀ, ବାବୁଲା ଦାସ, ସୁଶାନ୍ତ କୁମାର ଦାସ, ସୁଶାନ୍ତ ପାତ୍ର, ମୁନା ଦରୁଆନ, ସୁରୁସିଂ ନିନା, ପ୍ରଶାନ୍ତ ଦାସ, ନୀଳ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନିମା ଦାସ, ଶବ୍ଦ ମିର୍ଧା, କୁନୁ ମୁଣ୍ଡା, ଦେବଦତ୍ତ ରାଉତ ପ୍ରଦୀପ ବଂସଲ ସମେତ ବଣିକ ସଙ୍ଘର କର୍ମକର୍ତ୍ତା, ସିଟିଜନ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!