ଝାରବନ୍ଧ ଖଟିଖିଆ ସଂଘର ଆନ୍ଦୋଳନ ଜାରି

  • ମାମଲା ରୁଜୁ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ହେବ ନାହିଁ : ଖଟିଖିଆ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଳଛାୟା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ନକରି ବ୍ଲକରୁ ଟଙ୍କା ଉଠାଇ ନେବା, ବିନା ଜମି ବାଡିରେ ଡଭା ସେବା ସମବାୟ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଦେବାରେ ଫର୍ଜରୀ ହେବା ସହ ଆଉ ଅନ୍ୟାନ୍ୟ ୧୧ଦଫା ଦାବୀକୁ ନେଇ ଗତକାଲି ଝାରବନ୍ଧ ବ୍ଲକ ଖଟିଖିଆ ସଂଘ ଝାରବନ୍ଧ ବ୍ଲକ ସମ୍ମୁଖରେ ଚଳାଇଥିବା ଆନ୍ଦୋଳନ ରାତ୍ରି ପର୍ଯ୍ୟନ୍ତ ଜାରି ରହିଥିଲା । ସଂଘର ସଭାପତି ଭୋଜରାଜ ବାଗ ଓ ସମିତି ସଭ୍ୟ ସତ୍ୟମ ପ୍ରଧାନଙ୍କ ନେତୃତ୍ୱରେ ଚାଳିଥିବା ଆନ୍ଦୋଳନରେ ୧ ହଜାରରୁ ଅଧିକ ଲୋକ ସାମିଲ ହୋଇ ଥିବାବେଳେ ସଂଧ୍ୟାରେ ବରଗଡ ପିଡି ଡିଆରଡିଏ, ଝାରବନ୍ଧ ବିଡିଓ, ପୋଲିସ ଅଧିକାରୀ ଆନ୍ଦୋଳନ ସ୍ଥଳିକୁ ଆସି ଆନ୍ଦୋଳନକାରୀଙ୍କ ସହ ଦାବୀଗୁଡିକ ଉପରେ ଆଲୋଚନା କରିଥିଲେ ମଧ୍ୟ ସମାଧାନର କୌଣସି ବାଟ ବାହାରି ନାହିଁ । ଝାରବନ୍ଧ ବ୍ଲକରେ ଜଳଛୟା ପ୍ରକଳ୍ପ ଜରିଆରେ କେନ୍ଦ୍ର ସରକାରଙ୍କଠାରୁ ଆସିଥିବା ଅନୁଦାନ ୩ ବର୍ଷର ପ୍ରାୟ ୨ କୋଟି ୫୦ ଲକ୍ଷ ଟଙ୍କା ଫାର୍ମ ଫଣ୍ଡ ନିର୍ମାଣ, ଚାଷୀଙ୍କୁ ଛେଳି, ଗାଈ ଦେବାରେ ଜାଲିଆତି କରି ଅଧିକାରୀମାନେ ସମସ୍ତ ଟଙ୍କା ହଡ଼ପ କରି ନେଇଥିବାରୁ ସେମାନଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ଦାୟର ସହ ଝାରବନ୍ଧ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିନା ଘର ନିର୍ମାଣ କରି ୨୦ରୁ ଊର୍ଦ୍ଧ୍ବ ଘରର ମିଥ୍ୟା ବିଲ ତିଆରି କରି ଟଙ୍କା ହଡ଼ପ କରି ଖାଉଥିବା ବ୍ଲକ ଜେଇ, ଜିଆରଏସମାନଙ୍କ ବିରୋଧରେ ଥାନାରେ ରିପୋର୍ଟ ଦେବା ଏବଂ ଡଭା ସେବା ସମବାୟ ସୋସାଇଟି ଜରିଆରେ ବିନା ଜମିବାଡିରେ ଜାଲିଆତି କରି ଚାଷୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇ ଥିବାରୁ ସୋସାଇଟି ସେକ୍ରେଟାରୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରିବା ଦାବୀରେ ଖଟିଖିଆ ସଂଘ ଅଟଳ ଥିବାବେଳେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଝାରବନ୍ଧ ବ୍ଲକ ସାମନାରେ ଚାଲିଥିବା ଆନ୍ଦୋଳନ ବାତିଲ କରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ଅଛନ୍ତି । ପ୍ରଶାସନ ଆମ ଦାବୀ ନ ଶୁଣିଲେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଚାଳିବ ବୋଲି ସଂଘ ସଭାପତି ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏହି ଆନ୍ଦୋଳନରେ ଖଟିଖିଆ ସଂଘର ପୁନିତ ସିଦ୍ଧାର, ଅକ୍ଷୟ ପ୍ରଧାନ, ଫଟୁଲାଲ ପଟେଲ, ପ୍ରଦୀପ ବାରିକ, ପରସରାମ ସାହୁ, ତପନ ପ୍ରଧାନ, ଅନନ୍ତ ପ୍ରଧାନ, ଦୁର୍ଲଭ ବାରିକ, ସୁରେନ୍ଦ୍ର ଭୋଇ, ଯୋଗେନ୍ଦ୍ର ଭୋଇ ପ୍ରମୁଖ ନେତୃତ୍ୱ ନେଇଛନ୍ତି ।

Leave A Reply

Your email address will not be published.