om academy

ଟାଟା ଚା’ କମ୍ପାନୀର ଶ୍ରମିକଙ୍କ ଆନ୍ଦୋଳନ ତେଜୁଛି

jsm

• ଟାଟା ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାରମୟ ପରିସ୍ଥିତି ଦେଇ ଗତି କରୁଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଟା ଚା’ କମ୍ପାନୀରେ ନିୟୋଜିତ ପ୍ରାୟତଃ ୪ଶହ କର୍ମଚାରୀ ଏବେ ପ୍ରାୟ ମାସାଧିକ ଦିନ ହେଲା କାମ ଧନ୍ଦା ନ ପାଇ ହତାଶ ହୋଇ ବସିଛନ୍ତି । କୌଣସି ସାମାନ୍ୟ ଅଭିଯୋଗ କଲେ ଘରେ ରହିଯାଅ ବୋଲି କହୁଥିବା ବିଷୟ ଶ୍ରମିକମାନେ ପ୍ରଶାସନ ଆଗରେ ଅଭିଯୋଗ କରିଛନ୍ତି । ମାସସାରା କାର୍ଯ୍ୟ ଯୋଗାଇଦେବା ବଦଳରେ ମାତ୍ର ୨୬ ଦିନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ପୁଣି ମାସକୁ ଥରେ ହେଲେ ଛୁଟି ନାହିଁ । ନୋ ୱାର୍କ ନୋ ପେ, ପଦ୍ଧତିରେ ଶ୍ରମିକମାନଙ୍କୁ ଖଟାଉଛନ୍ତି । ଶ୍ରମିକଙ୍କ ଚିକିତ୍ସା ସୁବିଧା, ବୀମା ସୁବିଧା ଉପଲବ୍ଧ ନାହିଁ । ମାସକୁ ପିଏଫ, ଆଦି କଟାକଟି କରି ଶ୍ରମିକମାନେ ପ୍ରତିମାସରେ ମାତ୍ର ୭୫୦୦ ଟଙ୍କା ପାଉଛନ୍ତି । ବରିଷ୍ଠତା ଭିତ୍ତିରେ ଦରମା ପ୍ରାପ୍ୟ ବଢ଼ିବାର ନା’ ଗନ୍ଧ ନାହିଁ । ପ୍ରକାଶ ଥାଉକି, ଅମାଲଗାମେଟେଡ଼ ପ୍ଲାନେଟେସନ୍ ଲିଃ. ଦ୍ୱାରା ଟାଟା ଚା’ କମ୍ପାନୀରେ ଏସ୍‌ଏମ୍‌ପିଏଲ୍ , ଜେଜେଆଇ, ବିଟିପିଏଲ ଏବଂ ଶ୍ରୀଗୁରୁ ଭଳି ଚାରୋଟି ଗୃପର କର୍ମଚାରୀ ଏଠାରେ ନିୟୋଜିତ ଥିବା ବେଳେ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାରମୟ ପରିସ୍ଥିତି ଦେଇ ଗତି କରୁଛନ୍ତି । ଜମି ହରାଇଥିବା ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପ୍ରଶାସନଠାରେ ଚୁକ୍ତିନାମା ହୋଇଥିବା ବେଳେ କମ୍ପାନୀ ବାହାର ସ୍ଥାନରୁ ଲୋକଙ୍କୁ ଆଣି କୁଶଳୀ କାରିଗର, ଅଣ-କୁଶଳୀ କାରିଗର ଭାବେ ଯୁବକ, ଯୁବତୀଙ୍କୁ ନିୟୋଜିତ କରୁଛି । ଏହି ଅଞ୍ଚଳରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରି ନିୟୋଜନ କରିବାକୁ ଦୃଢ଼ ଦାବୀ କରୁଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଆଞ୍ଚଳିକ ଶ୍ରମିକଙ୍କୁ ଅଣଦେଖା ଓ ଦୁର୍ବ୍ୟବହାର କରୁଥିବା ବିଷୟରେ ଗଞ୍ଜାମ ଜିଲ୍ଲାପାଳଙ୍କଠାରେ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରେ ଦାବୀ ମୁତାବକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଗୋପାଳପୁର ସମୁଦ୍ରପଥ ସଂଲଗ୍ନରେ ଅନେକ ଶିଳ୍ପାୟନ ଗଢ଼ିଉଠିଥିବା ବେଳେ ସେଗୁଡିକର ସଫଳ ରୂପାୟନ ହୋଇପାରୁନାହିଁ, କି ସଫଳତାର ଫଳପ୍ରଦ କାର୍ଯ୍ୟକାରୀ ହେଉନାହିଁ । ଯାହା ଫଳରେ କି କମ୍ପାନୀର ମାଲିକ ତଥା ଉଦ୍ୟକ୍ତାମାନେ ଶ୍ରମିକମାନଙ୍କୁ ନିୟମିତ ମାସିକ ପ୍ରାପ୍ୟ, ମଜୁରୀ ଦେଇ ପାରୁନାହାନ୍ତି । କାର୍ଯ୍ୟରତ ଶ୍ରମିକମାନଙ୍କୁ ସ୍ଥାୟୀ କରିବାରେ କମ୍ପାନୀ ଅକ୍ଷମ ପ୍ରଦର୍ଶନ କରୁଛି । ବାସ୍ତବିକ ଏଥି ନିମନ୍ତେ କୌଣସି ଶିଳ୍ପାୟନର ଉଦ୍ୟୋଗୀ ମାଲିକମାନେ ନିଜ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉଥିବା ବେଳେ ମାଲିକମାନେ ଶ୍ରମିକମାନଙ୍କ ହିତ ଦୃଷ୍ଟିରୁ ଭଲ ଚିନ୍ତା କରୁନାହାନ୍ତି । ଯାହାକି ଏକ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇଛି । ଖଟିଖିଆ ମେହନତିଲୋକମାନଙ୍କର ଭିଟାମାଟି ଛଡାଇ ସରକାରଙ୍କଠାରେ ଚୁକ୍ତିନାମା କରି ଲୋକଙ୍କ ଚାଷ ଜମି ଉପରେ ଟାଟା କମ୍ପାନୀ ବିଭିନ୍ନ ସ୍ଥାନରେ ଶିଳ୍ପାୟନମାନ ସ୍ଥାପନ କରି ଆସିଛି । ପୁନଃଶ୍ଚ ଟାଟା ଲୋକଙ୍କର ଚାଷ ଜମି ନେଇ ହଜାର ହଜାର ହେକ୍ଟର ଜମି ଖାଲି ଖାଲିରେ ପଡ଼ିଆ ପକାଇ ରଖିଛି । କେତେକ ସ୍ଥାନରେ ଟାଟା ଅନ୍ୟ କମ୍ପାନୀକୁ ଲିଜସୂତ୍ରରେ ଜମି ଦେଇଛି । ଯାହା ଆଇନ ସଙ୍ଗତ ନୁହେଁ । ଜନସାଧାରଣଙ୍କୁ ନାନା ପ୍ରକାର ଭୁଆଁ ବୁଲାଇବା, ଶ୍ରମିକମାନଙ୍କୁ କାର୍ଯ୍ୟରେ ଛଟେଇ କରିବା ଆଦି ସ୍ୱାଭାବିକ ବିଷୟରେ ପରିଣତ ହୋଇଛି । ବାସ୍ତବିକ ଟାଟା କମ୍ପାନୀ ଚୁକ୍ତିବଦ୍ଧ କରିଥିବା ଅନୁସାରେ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଇ ଶ୍ରମିକଙ୍କ ସ୍ୱାର୍ଥ ପୂରଣ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.