ବ୍ରହ୍ମପୁର ବଡ଼ମେଡ଼ିକାଲ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ବ୍ୟାପକ ହେବ : ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗରରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତଥା ହସ୍ପିଟାଲ (ଏମ୍‌କେସିଜି ମେଡିକାଲ)ରେ ସମସ୍ତ ବର୍ଗର ଡାକ୍ତର ପଦବୀ ପୂରଣ ଓ ଆଉଟ-ଡୋରରେ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ନେଇ ଦୃଢ଼ଦାବୀ ହୋଇଛି । ବ୍ରହ୍ମପୁରର ସଚେତନ ନାଗରିକ ଓ ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ ଲଗାତାର ଆନ୍ଦୋଳନ ଫଳରେ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଡାକ୍ତର ନିଯୁକ୍ତି ଦେବେ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ତେବେ ଡାକ୍ତର ନିଯୁକ୍ତି ପ୍ରସଙ୍ଗ ସହ ଦାବୀ କରାଯାଇଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ କେବେ ହେବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ପ୍ରଶ୍ନ କରିଛନ୍ତି । ପ୍ରକାଶ ଥାଉକି, ଗତ ୨୦୨୦ ମସିହାରେ ରାଜ୍ୟ ସରକାର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଜଳାପୋଡ଼ା ବିଭାଗ ବର୍ଣ୍ଣ-ୟୁନିଟ କରିବେ ବୋଲି ଘୋଷଣା କଲେ । ପ୍ରତିବର୍ଷ ଜଳାପୋଡାରେ ଶହ ଶହ ରୋଗୀ ତୁରନ୍ତ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଦୀର୍ଘ ଦିନର ଘଣ୍ଟ ଯାତ୍ରା ଆନ୍ଦୋଳନ ଫଳରେ ଚାରି ଗୋଟି ଆଇସିୟୁ ବେଡ଼ରୁ ୨୦ ଗୋଟି ଆଇସିୟୁ ବେଡ଼କୁ ବଢାଇବା ପାଇଁ କାର୍ଯ୍ୟକାରୀ ହେଲା । କିନ୍ତୁ ହଜାର ହଜାର ରୋଗୀଙ୍କ ପାଇଁ ମାତ୍ର ୨୦ଟି ଆଇସିୟୁ ବେଡ଼ ଆଦୌ ର୍ପ୍ୟାପ୍ତ ନୁହଁ । ଏଣୁ ୨୦୦ ଆଇସିୟୁ ବେଡ଼ ନିହାତି ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦୃଢ଼ ଦାବୀ ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଜେରିଆଟ୍ରିକ ବିଭାଗ ଖୋଲିବା ନିହାତି ଆବଶ୍ୟକ । ମାଳମାଳ ସରକାରୀ ଯୋଜନା ମଧ୍ୟରେ ଦଲାଲମାନଙ୍କ ସକ୍ରୀୟ ଭୂମିକାକୁ ରାଜ୍ୟ ସରକାର ନିୟନ୍ତ୍ରଣ କରିପାରିନାହାନ୍ତି । ଜୀବନ ରକ୍ଷାକାରୀ ଭେଣ୍ଟିଲେଟର ସଂଲଗ୍ନ ଆମ୍ବୁଲାନ୍ସରେ ଟେକ୍ନିସିଆନ ନଥିବା ହେତୁ ଏହା ସାଧାରଣ ଆମ୍ବୁଲାନ୍ସ ଭଳି ବ୍ୟବହୃତ ହେବା ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସା ନୀତି ପଦାରେ ପକାଉଛି । ଏସବୁକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ତପ୍ତରତା ପ୍ରକାଶ ପାଇବା ଆବଶ୍ୟକ । ଏଣୁ ଅନେକବାର ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶୃତିକୁ ନିଜେ ରାଜ୍ୟ ସରକାର ହିଁ ଖିଲାପ କରିଛନ୍ତି । ଯାହାର ପରିଣାମ ସାଧାରଣ ଜନତା ଭୋଗୁଛନ୍ତି । ଖୁବଶୀଘ୍ର ସରକାର ତାଙ୍କ ପ୍ରତିଶୃତି କାର୍ଯ୍ୟକାରୀ ନ କଲେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ରୂପ ନେବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ସମେତ ବିଭିନ୍ନ ଗଣ ସଂଗଠନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.