ଜୟପାଟଣା, (ଶେଷଦେବ ବେହେରା) : ଗ୍ରାମାଞ୍ଚଳ ମାନଙ୍କର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବାବେଳେ ଡିସେମ୍ବର ୨୬ ତାରିଖରୁ ଓମସାର ଆହ୍ୱାନ କ୍ରମେ ସରକାରୀ ଡ଼ାକ୍ତରଖାନାର ଡାକ୍ତରମାନେ ପୂର୍ବାହ୍ନ ୧୦ଟାରୁ ୧୧ଘଣ୍ଟା ପର୍ଯ୍ୟନ୍ତ ବର୍ହି ବିଭାଗ ମାନଙ୍କରେ ରୋଗୀ ମାନଙ୍କୁ ନ ଦେଖିବା ନିଷ୍ପତ୍ତି ତୃଣମୂଳ ସ୍ତରରେ ରୋଗୀ ମାନଙ୍କୁ ପ୍ରଭାବିତ କରିବା ଆଶଙ୍କା କରାଗଲାଣି । ଡାକ୍ତରଖାନା ମାନଙ୍କରେ କେତେକ ଆବଶ୍ୟକତା ପରିମାଣରେ ବିଶେଷଜ୍ଞ ଠୁ ଆରମ୍ଭ କରି ଅନେକ ଡାକ୍ତର ପଦବୀ ଖାଲି ରହୁଥିବା ବେଳେ ବର୍ହି ବିଭାଗକୁ ଡାକ୍ତରମାନେ ଏକ ଘଣ୍ଟା ପାଇଁ ବର୍ଜନ କରିଥିବା ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ପୁଣି ଏକ ପ୍ରଶ୍ନବାଚୀ ସୃଷ୍ଟି କରି ସାରିଲାଣି । ଡାକ୍ତର ପଦବୀ ପୂରଣ ଓ ବିଭିନ୍ନ ସମସ୍ୟା ପ୍ରତି ସରକାର ମାନଙ୍କୁ କ୍ରମାଗତ ଭାବରେ ଜଣାଇବା ସତ୍ତ୍ୱେ ସମସ୍ତ ଅଭିଯୋଗ ମାନଙ୍କୁ ଅଣଦେଖା କରି ଆସୁଥିବା ଘଟଣାକୁ କେନ୍ଦ୍ର କରି ଶୁକ୍ରବାର ଠାରୁ ଏକ ଘଣ୍ଟା ପାଇଁ ବର୍ହିବିଭାଗକୁ ବର୍ଜନ କରି ସମୂହ ପ୍ରତିକ୍ରିୟା ରଖିଥିବା ପ୍ରକାଶ । ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ କେନ୍ଦ୍ରୀୟ ଯୋଜନା ମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ବର୍ଜନ କରାଯିବ ବୋଲି ଏକ ପ୍ରେସ ବିବୃତ୍ତିରେ ଜଣାଇ ଦିଆଯାଇଛି । ଅପର ପକ୍ଷରେ ଡାକ୍ତର ମାନଙ୍କ ନିରବଚ୍ଛିନ୍ନ ସେବାକୁ ଅଗ୍ରାଧିକାର ଦେଇ ସେମାନଙ୍କ ଦାବିର ଆଶୁ ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।