
ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ଡ୍ରାଇଭର ମହାସଂଘର ୭ ଦଫା ଦାବୀକୁ ନେଇ ସମଗ୍ର ଓଡ଼ିଶାରେ ଗତ ୮ତାରିଖରୁ ଡ୍ରାଇଭର ସମୂହ ଆନ୍ଦୋଳନ ରେ ଓହ୍ଲାଇ ଥିବା ବେଳେ ଗମନା ଗମନ, ଅତ୍ୟାବଶ୍ୟକ ସାମଗ୍ରୀ ଓ କୃଷି କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇସାରିଛି । ଏହି ଅବସରରେ ଜୟପାଟଣା ବ୍ଲକର ଶତାଧିକ ପଞ୍ଜୀକୃତ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ୭ ଦଫା ଦାବୀ ମଧ୍ୟରେ ଷାଠିଏ ବର୍ଷର କାର୍ଯ୍ୟକାଳ ପରେ ସ୍ଵତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ି ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ବ୍ୟବସ୍ଥା, ସେପ୍ଟେମ୍ବର୍ ୧ତାରିଖକୁ ଜାତୀୟ ଡ୍ରାଇଭର ଦିବସ ଭାବରେ ଘୋଷଣା, କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟାକୁ ପୋଲିସ ବିଭାଗକୁ ଦିଆ ନ ଯିବା ଆଦି ଉଲ୍ଲେଖ କରାଯାଇଛି । ଜୟପାଟଣା ଗାନ୍ଧୀ ଗ୍ରାମ ପଡ଼ା ଦୁର୍ଗା ମଣ୍ଡପ ପରିସରରେ ଶତାଧିକ ଗାଡ଼ି ଚାଳକ ମାନେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସି ଏକତ୍ରିତ ହେବା ସହିତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସୂଚନା ମିଳିଛି । ଏହି ଆନ୍ଦୋଳନରେ ଆବାହକ ଅରୁଣ କୁମାର ରାଉତ, କିଶୋର ଚନ୍ଦ୍ର ସାହୁ, ସଭାପତି ଭାସ୍କର ଚନ୍ଦ୍ର ରାଉତ, ଉପ ସଭାପତି ଅଭିମନ୍ୟୁ ସାହୁ, ସମ୍ପାଦକ କୈଳାଶ ରାଉତ, ସହ ସମ୍ପାଦକ ଲମ୍ବୋଦର ସାହୁ, କୋଷାଧ୍ୟକ୍ଷ ରବି ରାଉତ, ଉପଦେଷ୍ଟା ବାଲାଜୀ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।