ଗୋଟିଏ ମଂଚରେ ସାମିଲ ହେଲେ ସମସ୍ତ ବିରୋଧୀ ରାଜନୈତିକ ଦଳ ଓ ସଂଗଠନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନଙ୍କ ସରକାରଙ୍କ ସହିତ ଅଲୋଚନା ବାରମ୍ବାର ବିଫଳ ହେବା ପରେ କୃଷକମାନଙ୍କ ଦ୍ୱାରା ଡିସେମ୍ବର ୮ ସର୍ବ ଭାରତୀୟ ବନ୍ଦର ଡାକରା ଦିଆ ଯାଇଥିଲା । ସେହିକ୍ରମେ ଆଜି ବଲାଙ୍ଗିରରେ ସମସ୍ତ ରାଜନୈତିକ ଦଳ, ଶ୍ରମିକ ସଂଗଠନ, ଛାତ୍ର ଓ ଯୁବକ ସଂଗଠନ ମିଳିତ ଭାବରେ ଏହି କୃଷକ ଆନ୍ଦୋଳନକୁ ଅଭୁତପୁର୍ବ ସମର୍ଥନ ଜଣାଇ କୃଷି ଆଇନକୁ ତୀବ୍ର ବିରୋଧ କରିବା ସହ ବାଲାଙ୍ଗିର ବନ୍ଦ କରିଥିଲେ । ଫଳରେ ସହରର ସମସ୍ତ ଦୋକାନ ବଜାର, ଗାଡି ମଟର, ଅଫିସ କଚେରୀ, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ,ବୀମା, ସ୍କୁଲ, କଲେଜ ସଂପୁର୍ଣ୍ଣ ରୁପେ ବନ୍ଦ ରହିଥିବା ଦେଖାଯାଇଥିଲା । ସର୍ବଭାରତୀୟ ତଥା ରାଜ୍ୟ ସ୍ତରୀୟ କୃଷକ ସଂଗଠନର ଅହ୍ୱାନ ତଥା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବଲାଙ୍ଗିରରେ ଜିଲ୍ଲା କଂଗ୍ରେସ କମିଟି, ଜିଲ୍ଲାର ସମସ୍ତ ରାଜନୈତିକ ସଂଗଠନ, ଶ୍ରମିକ ସଂଗଠନ, ଛାତ୍ର ଓ ଯୁବକ ସଂଗଠନମାନଙ୍କୁ ଏହି କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ । କଂଗ୍ରେସ ଦଳର ଆହ୍ୱାନ କ୍ରମେ ଆଜି ସକାଳୁ ବିଭିନ୍ନ ରାଜନୈତିକ ଦଳ ତଥା ଶ୍ରମିକ ସଂଗଠନ ଦ୍ୱାରା ସହରରେ ପିକେଟିଂ କରାଯିବା ସହ ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା । ଦିନ୧୧ଟାରେ ଜିଲ୍ଲ୍ା କଂଗ୍ରେସ ତରଫରୁ ସଭାପତି ଦିଲିପ ବେହେରା, ଉପ ସଭାପତି ଉମାକାନ୍ତ ସାହୁ, ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନୀ, ସେବାଦଳ ମୁଖ୍ୟ ଅସିତ ମିଶ୍ର ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିରାଟ ପଟୁଆରରେ ଆସି ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର କଚେରୀ ଛକ ସ୍ଥିତ ବିକ୍ଷୋଭ ସ୍ସ୍ଥଳରେ ପାହଞ୍ଚିଥିଲେ । ପୁର୍ବରୁ ସେଠାରେ କୋସଲ ସମନ୍ୱୟ ସମିତିର ସଭାପତି ପ୍ରମୋଦ ମିଶ୍ର, ବିଏଜିବି ଏସୋସିଏସନର ପୁଲିନ ମିଶ୍ର, ମିଳିତ ଶ୍ରମିକ ସଂଗଠନର ବିଭୁଦତ୍ତ ମିଶ୍ର, ନାଗରିକ କମିଟି ସଭାପତି ବିକ୍ରମାନନ୍ଦ ବହିଦାର, ବହୁଜନ ସମାଜ ପାର୍ଟି ତଥା ଭୀମ ଆର୍ମିର ଦ୍ରୋଣ କୁମ୍ଭାର, ଆମ ଆଦମି ପାର୍ଟିର ଆଶିଷ ପାଣ୍ଡେ, ଏସୟୁସିଆଇ, ଏଆଇକେକେଏମଏସ୍, ଏଆଇଡିଏସଓ ର ସୁନିଲ ଭୋଇ ପ୍ରମୂଖ ନିଜର ସଂଗଠନ ସହ ବିକ୍ଷୋଭ ସ୍ଥଳିରେ ଯୋଗ ଦେଇଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କେନ୍ଦ ସରକାରଙ୍କ କୃଷି ଆଇନକୁ ତୀବ୍ର ଭର୍ସନା କରିଥିଲେ । ସେ କହିଥିଲେ ନୁତନ କୃଷି ଆଇନରେ କେନ୍ଦ୍ର ସରକାର କୃଷିଜାତ ସାମଗ୍ରୀର ବିକ୍ରି ଓ ବଣ୍ଟନକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରି ଦେଶର କୋଟି କୋଟି କୃଷକଙ୍କୁ ଧୋକା ଦେଇଛନ୍ତି । ଏହା ସିଧା ସଳଖ ଦେଶର ମୁଷ୍ଟିମେୟ ପୁଞ୍ଜିପତିମାନଙ୍କୁ ଲାଭ ପାହାଞ୍ଚାଇବାର ଏକ ଚକ୍ରାନ୍ତ ଅଟେ । ଯଦି ସରକାରଙ୍କ ସତ ସାହାସ ଅଛି, ଚାଷୀମାନଙ୍କୁ ନିଜ ଉତ୍ପାଦିତ ସାମଗ୍ରୀର ବିକ୍ରି କରିବାର ସ୍ୱାଧୀନତା ଦେଉ । କିନ୍ତୁ ଉତ୍ପାଦିତ ସାମଗ୍ରୀର ଉଚିତ ସର୍ବନିମ୍ନ ମୁଲ୍ୟ ସହ ସରକାର ନିଜେ ସେସବୁ କିଣିବାର କିମ୍ବା କିଣେଇବାର ବ୍ୟବସ୍ତା କରୁ । କଣ୍ଟ୍ରାକ୍ଟ ଫାର୍ମିଂରେ ମଧ୍ୟ ଦେଶର କୋଟି କୋଟି କ୍ଷୁଦ୍ର ଚାଷୀ ନିଜର ଜମିକୁ ପୁଞ୍ଜିପତିଙ୍କ ଅଧୀନକୁ ଦେଇଦେବେ । ଏହି ଆଇନ ଲାଗୁ ହେଲେ ଚାଷୀ କେବଳ ତାର ଜମି ହରେଇବ, ତାହା ନୁହେଁ ପୁଞ୍ଜିପତିମାନେ କ୍ଷୁଦ୍ର ଚାଷୀଙ୍କ ସମସ୍ତ ଜମି ନେଇ ସେଥିରୁ ଉତ୍ପାଦିତ ଫସଲକୁ ଖୂବ ଉଚ୍ଚା ଦରରେ ବିକ୍ରି କରିବାର ସମ୍ଭାବନା ଅଛି । ଯେହେତୁ ୧୯୯୫ ଅତ୍ୟାବଶକୀୟ ଆଇନର ସଂସୋଧନ କରିବା ମଧ୍ୟ ଏହି ଆଇନର ଅଂଶ ବିଶେଷ । ତେଣୁ ଅମଳ କୃଷିଜାତ ଦ୍ରବ୍ୟକୁ ପୁଞ୍ଜିପତିମାନେ ବୃହତ ଆକାରରେ ମହଜୁଦ କରି ରଖି ଖାଦ୍ୟ ଶସ୍ୟର ଏକ ଅହେତୁକ ଅଭାବ ପରିସ୍ଥିତି ସୃଷ୍ଟି କରବେ । ଯାହା ଫଳରେ ଦେଶର କୋଟି କୋଟି ଜନତା ଉଚ୍ଚା ଦରରେ ଖାଦ୍ୟ ଶସ୍ୟ କିଣିବାକୁ ବାଧ୍ୟ ହେବେ । ତେଣୁ ଆଜିର ଏହି ମିଳିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାର ତାର ଏହି ନୁତନ କଳା କୃଷି ଆଇନକୁ ଶୀଘ୍ର ପ୍ରତ୍ୟାହାର କରୁ ବୋଲି ଶ୍ରୀ ମିଶ୍ର ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋସଲ ସମନ୍ୱୟ ସମିତିର ପ୍ରମୋଦ ମିଶ୍ର, ବହୁଜନ ସମାଜ ପାର୍ଟିର ଦ୍ରୋଣ କୁମ୍ଭାର, କଂଗ୍ରେସର ଉମା ପଣ୍ଡା, ସାନନ୍ଦ ମିଶ୍ର, ମିଲନି ସାହୁ, ବୁଲୁ ଦାନୀ, ମୟ ପଧାନୀ, ଯଦୁପତି ନନ୍ଦ, ଚାଷୀନେତା ଡା. ସୁଧୀର ପରିଚ୍ଛା, ମିଳିତ ଶ୍ରମିକ ସଂଗଠନର ବିଭୁଦତ୍ତ ମିଶ୍ର ଆମ ଆଦମୀ ପାର୍ଟିର ଆଶିଷ ପାଣ୍ଡେ ପ୍ରମୁଖ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ରାଜୀବ ଗାନ୍ଧୀ ପଞ୍ଚୟତ ରାଜ ସଂଗଠନର ସଂଯୋଜକ ଅଜୟ ବାଲୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।