centurian jitm

ଏବେ ବି ରହିଛି ଅନ୍ଧବିଶ୍ୱାସ : ଗୁଣି ଗାରେଡି ନେଲା ନାବାଳକର ଜୀବନ ବୋଲି ପରିବାର ଲୋକଙ୍କ ଅଭିଯୋଗ, ଗାଁରେ ଉତ୍ତେଜନା, ୩ ଘଣ୍ଟା ଧରି ପୁଲିସକୁ ଘେରିଲେ ଗାଁ ଲୋକେ

nschool

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗାଁରେ ଗୁଣି ଗାରେଡି ସଂଦେହକୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ଗାଁର ନାବାଳକ ନେତ୍ରାନନ୍ଦ ବାଗ(୧୫)ର ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଯେ, ତନ୍ତ୍ର ମନ୍ତ୍ର, ଗୁଣି ଗାରେଡିରେ ଯାଉଛି ଗୋଟାଏ ପରେ ଗୋଟାଏ ଜୀବନ । ଜଣେ ନାବାଳକଙ୍କର ଜୀବନ ଯାଇଥିବା ବେଳେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ନାବାଳକର ମୃତ୍ୟୁର ଖବର ପାଇବା ପରେ ତଦନ୍ତ ପାଇଁ ଯାଇଥିବା ପୋଲିସ ଗାଡି ବି ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ଲୋକେ ଗୁଣି ଗାରେଡି କରୁଥିବା ବ୍ୟକ୍ତି ଟଙ୍କ ବାଗଙ୍କୁ ଗିରଫ ପାଇଁ ଦାବୀ କରିଥିବା ବେଳେ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବା ପରେ ପୋଲିସ ଗାଡିକୁ ଛାଡିଥିଲେ । ଅଭିଯୋଗ ଅନୁଯାୟୀ, ଗୁଣି ଗାରେଡି ଯୋଗୁଁ ଜଣେ ନାବାଳକ ନେତ୍ରାନନ୍ଦ ବାଗର ମୃତ୍ୟୁ ଘଟିଛି । ଗାଁର ଟଙ୍କ ବାଗ ତନ୍ତ୍ର ମନ୍ତ୍ର ଗୁଣି ଗାରେଡି କରି ଏକ ମାସ ମଧ୍ୟରେ ଦୁଇ ଜଣଙ୍କ ଜୀବନ ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗତ କିଛି ଦିନ ଧରି ଗାଁରେ ଅନେକଙ୍କ ଜୀବନ ଯାଇଛି । ହେଲେ ଏହି ସବୁ ଘଟଣାରେ ଗାଁର ଜଣେ ତନ୍ତ୍ର ସାଧକଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଗତ କାଲି ରାତ୍ରିରେ ନେତ୍ରାନନ୍ଦ ବାଗ ନାମକ ଜଣେ ନାବାଳକର ମୃତ୍ୟୁକୁ ନେଇ ଅଶାନ୍ତ ହୋଇ ପଡିଛି ଗାଁ । ତେବେ ସମ୍ପୃକ୍ତ ଗୁଣି ଗାରେଡି କରୁଥିବା ସଂଦେହରେ ରହିଥିବା ବ୍ୟକ୍ତି ଟଙ୍କ ବାଗ ମୃତକଙ୍କ ପରିବାର ନାମରେ ଥାନାରେ ଏକ ମାମଲା ରୁଜୁ କରିବାରୁ ଆହୁରି ବ୍ୟାପକ ଉତ୍ତେଜନା ଦେଖା ଦେଇଥିଲା । ଗାଁ ଲୋକେ ପୋଲିସ ଗାଡିକୁ ଅଟକ ରଖି ସମ୍ପୃକ୍ତ ଗୁଣି ଗାରେଡି କରୁଥିବା ଲୋକଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ । ଏମିତି କି ଉତ୍ୟକ୍ତ ଲୋକେ ସମ୍ପୃକ୍ତ ପରିବାର ଉପରେ ଆକ୍ରମଣ କରିବାକୁ ବି ପଛାଇ ନ ଥିଲେ । ହେଲେ ଭୟରେ ଘର କବାଟ ବନ୍ଦ କରି ସମ୍ପୃକ୍ତ ବ୍ୟକ୍ତି ଘରେ ରହିଯାଇଥିଲେ । ପୋଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ସହ ଶାନ୍ତ ରହିବାକୁ ବୁଝାଇବା ସହ ଘର ଆଗରେ ବ୍ୟାପକ ପୋଲିସ ମୁତୟନ କରିଥିଲା । ପରେ ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ର ନାଥ ଶତପଥୀ ପହଂଚି ପୋଲିସ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବା ପରେ ପରିବେଶ କିଛି ଟା ଶାନ୍ତ ପଡିଥିଲା । ତେବେ ଦିନକୁ ଦିନ ବଢି ଚାଲିଥିବା ନୂଆ ନୂଆ ଟେକ୍‌ନୋଲୋଜି ଆଡକୁ ସମୟ ମୁହାଁଉଥିବା ବେଳେ ଆଜିର ଆଧୁନିକ ଯୁଗରେ ବି ଅନ୍ଧବିଶ୍ୱାସ ମୁକ୍ତ ହୋଇ ପାରିନି ସମାଜ । ଏବେ ବି ଅନେକ ଲୋକ ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ଓ କ’ଣ ରହିଛି ମୃତ୍ୟୁର କାରଣ, ତାହା ପୋଲିସର ତଦନ୍ତ ପରେ ଘଟଣାର ସତ୍ୟତା ସମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.

error: Content is protected !!