ବଲାଙ୍ଗିର କନଜରଭେଟ ଅଫିସ ସାମନାରେ ସପରିବାର ଆମରଣ ଅନଶନ କରିବେ ବୋଲି ନୋଟିସ ଜାରି କଲେ କେନ୍ଦୁପତ୍ର ଶ୍ରମିକ ଲୁଚନ ମୁନା

ବରଗଡ, (ନିରୋଜ କୁମାର ପାଣୀ) : ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଦୀର୍ଘ ୩୭ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଝାରବନ୍ଧ କେନ୍ଦୁପତ୍ର ପୂର୍ବ ରେଞ୍ଜରର ହେଡଚେକର ଲୁଚନ ମୁନା ଆସନ୍ତା ଜାନୁୟାରୀ ୨୭ ତାରିଖ ଦିନ ବଲାଙ୍ଗିର ସ୍ଥିତ ଚିଫ କନଜରଭେଟର ଅଫ ଫରେଷ୍ଟ କେନ୍ଦୁଲିଫ ଅଫିସ ସମ୍ମୁଖରେ ସପରିବାର ଆମରଣ ଅନଶନ ବସିବା ପାଇଁ ଏକ ନୋଟିସ ପ୍ରଦାନ କରିଛନ୍ତି । ଆମରଣ ଅନଶନର ନୋଟିସ ଓଡ଼ିଶା ଜଙ୍ଗଲ ବିଭାଗ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଜଙ୍ଗଲ ବିଭାଗ, ୫ଟି ପ୍ରମୁଖ ଶାସନ ସଚିବ, ପିସିସିଏଫ୍‌ ଭୁବନେଶ୍ୱରଙ୍କୁ ମଧ୍ୟ ଶ୍ରୀ ମୁନା ସୂଚନା ଦେଇଛନ୍ତି । ଶ୍ରୀ ମୁନା ତାଙ୍କ ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ସେ ଦୀର୍ଘ ୩୭ ବର୍ଷ ଧରି କେନ୍ଦୁପତ୍ର ସଂସ୍ଥାରେ ପଦ୍ମପୁର ଡିଭିଜନରେ ସୁଚାରୁ ରୂପେ କାର୍ଯ୍ୟ କରି ଆସୁଛନ୍ତି । ପ୍ରଥମେ କେନ୍ଦୁପତ୍ର ଚେକର ଭାବେ ଯୋଗଦେବା ପରେ ଶୃଙ୍ଖଳା ସହ ସଂସ୍ଥାରେ ଉତ୍ତମ ସେବା ଯୋଗାଇ ଦେଇଥିବାରୁ ବିଭିନ୍ନ ସମୟରେ ଚେକରରୁ ପ୍ରମୋସନ ପାଇ ୨୦୨୨ ମାର୍ଚ୍ଚ ମାସରେ ସେ ହେଡଚେକର ପଦବୀକୁ ପ୍ରମୋସନ ପାଇବା ପରେ ଝାରବନ୍ଧ ପୂର୍ବ ରେଞ୍ଜରେ ଯୋଗଦେଇ ଥିଲେ । ହଠାତ ପୂର୍ବରୁ କୌଣସି ପ୍ରକାର କୈଫିୟତ ନ ମାଗି ବଲାଙ୍ଗିର ସିସିଏଫ୍‌ ହେଡଚେକରୁ ସର୍କଲ ଚେକର ପଦବୀକୁ ରିଭର୍ଟ କରି ଦିଆଗଲା ବୋଲି ଶ୍ରୀ ମୁନା ଉଲ୍ଲେଖ କରି ଏହାର ପ୍ରତିବାଦରେ ସେ ସପରିବାର ବଲାଙ୍ଗିର କେନ୍ଦୁପତ୍ର ବିଭାଗର ସିସିଏଫ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ପାଇଁ ସ୍ଥିର କରିଛନ୍ତି । ସେ ଜଣେ ଦଳିତ ପରିବାରରୁ ଆସିଥିବାରୁ ଉଚ୍ଚ ଅଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ନିର୍ଯାତନ ଦେଉଥିବା ଶ୍ରୀ ମୁନା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.