ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ୫ କି.ମି. ଦୂରତା ମଧ୍ୟରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ସ୍ଥାପନ ଦାବୀ ନେଇ ଅମ୍ବାଦୋଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ସାମାଜିକକର୍ମୀ ରଞ୍ଜନ ସ୍ୱାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ୨୫ କି.ମି. ଦୂରରେ ଥିବା ମୁନିଗୁଡା ଠାରେ ଦୀର୍ଘ ୮ ବର୍ଷ ହେବ ପରୀକ୍ଷା କେନ୍ଦ୍ର କରାଯାଇଛି । ଯାହାକୁ ବିରୋଧ କରି ଏହି ଆନ୍ଦୋଳନ ଆରମ୍ଭ କାରାଯାଇଥିବା ଜଣାପଡ଼ିଛି । ମୁନିଗୁଡା ପରୀକ୍ଷା କେନ୍ଦ୍ର ଯିବା ସମୟରେ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ ପୁଣି ଚଳିତ ବର୍ଷ ଅମ୍ବାଦୋଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ମୁନିଗୁଡା ସରକାରୀ ବାଳିକା ବିଦ୍ୟାଳୟରେ ସ୍ଥିର ହୋଇଥିବାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ଜଣାପଡିଛି । ତେବେ ସରକାର ନିଜେ ଘୋଷଣା କରିଥିବା ନିୟମକୁ ଖିଲାପ କରିବା ସହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ।