
ଓଡ଼ିଶାରେ ୩ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

- ବୈଠକରେ ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ
- ଓଡ଼ିଶା ସରକାର ଆଗାମୀ ଛଅ ମାସ ପାଇଁ ପ୍ରଶାସନର ସମସ୍ତ ସ୍ତରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ପ୍ରାଥମିକତା ଦିଅନ୍ତୁ
- ଓଡ଼ିଶାର ବିକାଶ ପାଇଁ ଆଗାମୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ; ଭବିଷ୍ୟତରେ ରାଜ୍ୟର ଶିଳ୍ପ ଏବଂ ବୈଷୟିକ ବିକାଶକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ନୂତନ ଅପରାଧିକ ଆଇନ
- ରାଜ୍ୟର ଗୃହ ସଚିବ ସପ୍ତାହକୁ ଥରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାର ଅଗ୍ରଗତି ସମୀକ୍ଷା କରିବା ଉଚିତ, ମୁଖ୍ୟ ଶାସନ ସଚିବ ଓ ଡିଜିପି ପ୍ରତି ୧୫ ଦିନରେ ଏବଂ ମୁଖ୍ୟମନ୍ତ୍ରୀ ମାସିକ ଭିତ୍ତିରେ ଏହାର ସମୀକ୍ଷା କରିବା ଉଚିତ, ରାଜ୍ୟରେ ସେଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ସମୟସୀମା ସ୍ଥିର କରିବା ଆବଶ୍ୟକ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜ୍ୟରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ପୁଲିସ, କାରାଗାର, ଅଦାଲତ, ଦଣ୍ଡବିଧାନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ କେନ୍ଦ୍ର ଗୃହ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ସରକାର ଆଗାମୀ ଛଅ ମାସ ମଧ୍ୟରେ ପ୍ରଶାସନର ସମସ୍ତ ସ୍ତରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ପ୍ରାଥମିକତା ଦେବା ଉଚିତ । ଅମିତ ଶାହ କହିଥିଲେ, ଓଡ଼ିଶାର ବିକାଶ ପାଇଁ ଆଗାମୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତରେ ରାଜ୍ୟର ଶିଳ୍ପ ଏବଂ ବୈଷୟିକ ବିକାଶକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ସୁଦୃଢ଼ କରିବାରେ ନୂତନ ଅପରାଧିକ ଆଇନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ରାଜ୍ୟ ଗୃହ ସଚିବ ସ୍ତରରେ ସପ୍ତାହକୁ ଗୋଟିଏ ଥର ଏବଂ ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ସ୍ତରରେ ପ୍ରତ୍ୟେକ ୧୫ ଦିନ ଏବଂ ମୁଖ୍ୟମନ୍ତ୍ରୀ ମାସରେ ଗୋଟିଏ ଥର ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଆବଶ୍ୟକ । ରାଜ୍ୟରେ ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ସମୟସୀମା ସ୍ଥିର କରିବା ଆବଶ୍ୟକ ବୋଲି ଶ୍ରୀ ଶାହ ପରାମର୍ଶ ଦେଇଥିଲେ ।