ସ୍ୱାଭିମାନ ଅଞ୍ଚଳରୁ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆରମ୍ଭ ହୋଇଛି ବାଇକ ଅମ୍ବୁଲାନ୍ସ ସେବା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆରମ୍ଭ ହୋଇଛି ବାଇକ ଅମ୍ବୁଲାନ୍ସ ସେବା । ବଡ଼ପଡା ପଞ୍ଚାୟତରେ ପ୍ରଥମ ଥର କରି ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଦୁଇଟି ବାଇକ ଅମ୍ବୁଲାନ୍ସ ସେବାକୁ ସ୍ୱାଭିମାନ ଅଞ୍ଚଳ ବଡ଼ପଡା ପଞ୍ଚାୟତ ପରିସରରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଉଦ୍‌ଘାଟନ କରିଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ ଆନେକ ଦୁର୍ଗମ ଅପହଞ୍ଚ ଇଲାକାରେ ଥିବା ଗ୍ରାମ ଗୁଡିକୁ ଆମ୍ବୁଲାନ୍ସ କିମ୍ବା ଚାରିଚକିଆ ଗାଡି ଯିବା ସମ୍ଭବ ହେଉନଥିବାରୁ ଏହି ବାଇକ୍‌ ଆମ୍ବୁଲାନ୍ସ ମାଧ୍ୟମରେ ଦୁର୍ଗମ ଅଞ୍ଚଳରୁ ସାଧାରଣ ରୋଗୀଙ୍କଠାରୁ ଆରମ୍ଭ କରି ଗର୍ଭବତୀ ମହିଳାମାନଙ୍କୁ ହସ୍ପିଟାଲକୁ ନେବାର ବ୍ୟବସ୍ଥା କରାଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ନାବାର୍ଡ ଡାଇରେକ୍ଟର ଧର୍ମେନ୍ଦ୍ର ବେହୁରିଆ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ, ଡା. ଅଭିଜିତ ଶତପଥୀ, ଆୟୁର୍ବେଦ ଡାକ୍ତର ହରିପ୍ରସାଦ ଶର୍ମା, ପରିବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, ପାପରମେଟେଲା ସରପଞ୍ଚ ନରସିଂହ ସିନ୍ଧାରୀ, ବଡ଼ପଡ଼ା ସରପଞ୍ଚ ନିଲୁ ଖିଲ, ବିମଳା ହନ୍ତାଳ, ଜାନବାଇ ସେକ୍ଟର ସୁପରଭାଇଜର ଶଶାଙ୍କ ଶେଖର କର ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଟି ଆମ୍ବୁଲାନ୍ସ ମଧ୍ୟରୁ ବଡ଼ପଡ଼ାଠାରେ ଓ ଅନ୍ୟଟି ଦୂରତମ ଅଞ୍ଚଳ ଯନ୍ତ୍ରୀ ତଥା ଅଣ୍ଡରାପାଲି ଦୁଇଟି ପଞ୍ଚାୟତ ପାଇଁ ନାକାମାମୁଠାରେ ରହି ରୋଗୀକୁ ହସ୍ପିଟାଲକୁ ନେବା ଆଣିବା କରିବ । ଏହି ଦୁଇଟି ଆମ୍ବୁଲାନ୍ସକୁ ନାବାର୍ଡ ସଂସ୍ଥା ଯୋଗାଇଛି । ଏହାର ପରିଚାଳନା ଦାୟିତ୍ୱ ପରିବର୍ତ୍ତନ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦିଆଯାଇଛି ।

Leave A Reply

Your email address will not be published.