ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବାନେର ଲଡୁଗାଁ ସଂଯୋଗୀକରଣ ରାସ୍ତା ଜୟପାଟଣା ଓ କୋକସରା ବ୍ଲକକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତାର ଅବସ୍ଥାକୁ ନେଇ ଜନସାଧାରଣ ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ କରି ଆସୁଥିବା ସତ୍ୱେ ରାସ୍ତାର ପୁନଃ ନିର୍ମାଣ ଓ ସମ୍ପ୍ରସାରଣରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଆଜି ସରକାରଙ୍କ ମନୋବୃତ୍ତିକୁ ବିରୋଧ କରି କିଛି ଯୁବକ ଆମରଣ ଅନଶନରେ ବାନେର ଚାରିଛକ ଠାରେ ବସିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ବାନେର ଲଡୁଗାଁ ପନ୍ଦର କିଲୋମିଟର ରାସ୍ତା ଉପରେ କୋକସରା ଓ ଜୟପାଟଣା ବ୍ଲକର ସଂଯୋଗ ବ୍ୟବସ୍ଥା ନିର୍ଭର କରୁଥିବା ବେଳେ ବାନେର, ଭାଇଁରିପାଲି, ରେଙ୍ଗଲପାଲି, ଉଛୁଳା, ବଡ଼ପୁଝରିଗୁଡ଼ା ଭଳି ପଞ୍ଚାୟତ ମାନଙ୍କର ଏକ ମାତ୍ର ସଂଯୋଗ ସଡ଼କ ଭାବରେ ସମସ୍ତଙ୍କର ନିର୍ଭରଶୀଳ । ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ବିଭିନ୍ନ ସମୟରେ ଜନସାଧାରଣ ଯାବତୀୟ ପଦକ୍ଷେପ ନେବା ସତ୍ୱେ କଳାହାଣ୍ଡି ପୂର୍ତ୍ତ ବିଭାଗ ଉଚିତ୍ ପଦକ୍ଷେପ ନେଉ ନଥିବା ସାଧାରଣରେ ଅଭିଯୋଗ ହେଉଛି । ପୂର୍ବରୁ ୨୦୨୨ମସିହାରେ ଏହି ରାସ୍ତାର ଉନ୍ନତି କରଣ ପାଇଁ ୧୫କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇ ଥିଲା । କିନ୍ତୁ ସେହି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ କେସ ଦାୟର କରାଯିବା ପରେ ସେହି ଟେଣ୍ଡରକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ଏବେ ଆଂଶିକ ଟେଣ୍ଡର ଆହ୍ୱାନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସହିତ ସମାଜସେବୀ ଚିନ୍ତାମଣି କୁମାର, ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ, ସମାଜସେବୀ ବିଘ୍ନରାଜ ପଣ୍ଡା ପ୍ରମୁଖ ଆମରଣ ଅନଶନରେ ବସିଥିବା ଜଣାପଡ଼ିଛି । ପୂର୍ଣ୍ଣାଙ୍ଗ ୧୫ କିଲୋମିଟର ରାସ୍ତାର ଟେଣ୍ଡର ସହିତ ରାସ୍ତାର ଜରୁରୀ କାଳୀନ ମରାମତି ସହିତ ବାନେର ପଟରୁ ସଡ଼କ ନିର୍ମାଣ ଆରମ୍ଭ କରିବାକୁ ଦାବି ହେଉଛି । ଏହି ଅନଶନକୁ ବିଭିନ୍ନ ସଙ୍ଗଠନ, ଅଞ୍ଚଳବାସୀ ଓ ସମସ୍ତ ରାଜନୈତିକ ଦଳ ସମର୍ଥନ କରୁଥିବା ସୂଚନା ମିଳିଛି ।
