ଭୁବନେଶ୍ୱର, (କେପିଏନ୍ଏସ୍) : ଦୃଷ୍ଟିହୀନ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କ ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ବୌଦ୍ଧିକ ଓ ଦକ୍ଷତା ବିକାଶ ପାଇଁ କାର୍ଯ୍ୟରତ ଅଗ୍ରଣୀ ଗୋ-ସେବା ପ୍ରତିଷ୍ଠାନ ଆନନ୍ଦ ମାର୍ଗ ଏକାଡେମୀ ଅଫ ଲାଇଟ୍ (ଅମଲ୍) ଭୁବନେଶ୍ୱର ତରଫରୁ ବିଶ୍ୱ ବ୍ରେଲ୍ ଦିବସ ୨୦୨୪ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ରୋଟାରୀ ଭବନଠାରେ ଅନୁଷ୍ଠାନର ମୁଖ୍ୟ, ଓଡ଼ିଶାରେ ଜନ୍ମିତ, ପିଲାବେଳୁ ପିତାମାତାଙ୍କୁ ହରାଇଥିବା ଜଣେ ଦୃଷ୍ଟିହୀନ ଏବଂ ବହୁ ପ୍ରତିଭାର ଅଧିକାରିଣୀ ସୁଶ୍ରୀ ଇନ୍ଦ୍ରାଣୀ ସଂଖାରୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଦୃଷ୍ଟିହୀନ ମେଧାବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ବ୍ରେଲ୍ ଲିଖନ, ପଠନ, ଏକକ ଅଭିନୟ, କବିତା ପାଠ, ସଙ୍ଗୀତ ଗାନ ଆଦି ବିଭିନ୍ନ ପ୍ରତିଭା ପ୍ରତିଯୋଗିତା ଆୟୋଜନ କରାଯାଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ରମାଦେବୀ ବିଶ୍ଵବିଦ୍ୟାଳୟ ଆଦି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ନଗଦ ଅର୍ଥ ରାଶି ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବହୁ ପିଲାମାନଙ୍କୁ ବ୍ରେଲ୍ ସ୍ଲେଟ ଓ ଅନ୍ୟ ପାଠ୍ୟ ସହାୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସୁଦୂର ଅଷ୍ଟ୍ରେଲିଆରେ ଅବସ୍ଥାପିତ ବିଶ୍ୱ ସେବା ଓ ଆଧ୍ୟାତ୍ମିକ ସଂସ୍ଥା ଆନନ୍ଦ ମାର୍ଗର ବରିଷ୍ଠ ସନ୍ୟାସିନୀ ଅବଧୂତୀକା ଆନନ୍ଦ ଅସେଶା, ନିଉଜିଲ୍ୟାଣ୍ଡରୁ ଅବଧୂତୀକା ଆନନ୍ଦ ଅନୁପ୍ରଭା ଓ ସର୍ବଭାରତୀୟସ୍ତରରେ କାର୍ଯ୍ୟରତ ଅବଧୂତିକା ଆନନ୍ଦ ମଞ୍ଜରୀ, ବରିଷ୍ଠ ବୁଦ୍ଧିଜୀବୀ ବିଷ୍ଣୁ ଚରଣ ରାଉତ, ଓଡ଼ିଶା ଖଣି ନିଗମର ବରିଷ୍ଠ ପ୍ରବନ୍ଧକ ଇଂଜିନିୟର କୈଳାଶ ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୁଇସ୍ ବ୍ରେଲ୍ଙ୍କ ମହାନ୍ ଅବଦାନକୁ ବର୍ଣ୍ଣନା କରିଥଲେ । ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଭବିଷ୍ୟତରେ ଗୌରବମୟ ଜୀବନ ଯାପନ ପାଇଁ ଉତ୍ସାହିତ କରିଥିଲେ । ପରମାତ୍ମାଙ୍କ ବୈଚିତ୍ରମୟ ସୃଷ୍ଟିରେ ସମସ୍ତଙ୍କର ପୂର୍ଣ୍ଣ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ରହିଛି ତେଣୁ ସମସ୍ତଙ୍କୁ ନିଜ ନିଜର ପ୍ରତିଭା ବିକାଶ ପାଇଁ ସମାଜ ବ୍ୟବସ୍ଥାରେ ସମାନ ସୁଯୋଗ ମିଳିବା ଉଚିତ୍ । ଶାରିରୀକ ଅକ୍ଷମତା ଥିବା ଭିନ୍ନକ୍ଷମ ମନୁଷ୍ୟମାନଙ୍କୁ ସ୍ଵତନ୍ତ୍ର ସୁଯୋଗ ମିଳିଲେ ସେମାନେ ମଧ୍ୟ ସମାଜର ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ଦେଇ ପାରିବେ ବୋଲି ଅତିଥିମାନେ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଆଜିର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନ ତରଫରୁ ଆଚାର୍ଯ୍ୟ ପ୍ରଭଦ୍ରାନନ୍ଦ ଅବଧୂତ, ହର୍ଷବର୍ଦ୍ଧନ ଲେଙ୍କା, ବିଷ୍ଣୁ ସାମନ୍ତରାୟ, ଅବଧୂତିକା ଆନନ୍ଦ ନମିତା, ସରୋଜ ମହାପାତ୍ର, ଅରୁଣ ସ୍ୱାଇଁ, ସାଧନା ମିଶ୍ର, ରାଜଶ୍ରୀ ବିଶ୍ଵାଳ, କବିତା ମହାପାତ୍ର ପ୍ରଭୃତି ସଫଳ ଭାବେ ପରିଚାଳନା କରିଥିଲେ ।