ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ ଦିବସରେ ସାରା ଦେଶ ସମ୍ବିଧାନର ରକ୍ଷାକୁ ଗୁରୁତ୍ୱ ଦେବା ସହ ସମ୍ବିଧାନର ଶ୍ରଷ୍ଠା ବାବା ସାହେବ ଆମ୍ବେଦକରଙ୍କୁ ମଧ୍ୟ ମନେ ପକାଇଥାଏ । କିନ୍ତୁ ଏଥର ସମ୍ବିଧାନ ଦିବସରେ ସହରର ଆମ୍ବେଦକର ଷ୍ଟାଡିଅମ କୁହାଯାଉଥିବା ପଡିଆରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତି ଅଲୋଡା ହୋଇରହିଛି । ଜମିର ମାଲିକାନାକୁ ନେଇ ରହିଥିବା ଦ୍ୱନ୍ଦ ଏହାର ମୁଖ୍ୟ କାରଣ ହୋଇଥାଇ ପାରେ ବୋଲି ଅଂଚଳବାସୀ ଅଭିଯୋଗ କରିଥିବା ବେଳେ ଯଥା ଶୀଘ୍ର ଏହାର ସମାଧାନ କରି ବାବା ସାହେବଙ୍କ ପ୍ରତିମୂର୍ତ୍ତିକୁ ଉଚିତ୍ ମର୍ଯ୍ୟାଦା ଦେବା ପାଇଁ ଦାବୀ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ପ୍ରତିବର୍ଷ ସମ୍ବିଧାନ ଦିବସ ତଥା ବାବା ସାହେବଙ୍କ ଜନ୍ମ ଓ ମହାପ୍ରୟାଣ ତିଥିରେ ଆମ୍ବେଦକର ପ୍ରେମୀ ଏହି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟାରମ୍ଭ କରୁଥିବା ନଜିର ରହିଛି । ଏଥର ଅନୁଷ୍ଠିତ ସମ୍ବିଧାନ ଦିବସରେ ସହରର ସମସ୍ତ ଆମ୍ବେଦକର ପ୍ରତିମୂର୍ତ୍ତିରେ ଆମ୍ବେଦକର ପ୍ରେମୀ ପୁଷ୍ପମାଲ୍ୟ ଅର୍ପଣ କରି ବାବା ସହେବଙ୍କ ଜୟଗାନ କରିବା ସହ ସ୍ଥାନୀୟ ଟାଉନ ହଲଠାରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପୁଡାପାଲି ମୌଜା ଅନ୍ତର୍ଗତ ପଥର ଡୁଙ୍ଗୁରି ନିକଟସ୍ଥ ଆମ୍ବେଦକର ଷ୍ଟାଡିଅମରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତି ଏଥର ସମ୍ବିଧାନ ଦିବସରେ ଅଲୋଡା ହୋଇ ପଡିରହିଥିଲା । ଆହୁରି ପ୍ରତିମୂର୍ତ୍ତି ଚାରିପଟେ ଅନାବନା ବୁଦା ଅଳିଆ ଆବର୍ଜନାରେ ଭର୍ତ୍ତି ରହିଥିବା ଆମ୍ବେଦକର ପ୍ରେମୀଙ୍କୁ ବ୍ୟଥିତ କରିଛି । ଏହି ଜମିକୁ ଜଣେ ନିଜର ରଏତି ଜମି ବୋଲି ଦାବୀ କରୁୁଥିବା ବେଳେ ଅଂଚଳବାସୀ ଏହାକୁ ସରକାରୀ ଜମି ବୋଲି କହୁଛନ୍ତି । ଏ ବିଷୟରେ ପଚରାଯିବାରୁ ଏହି ଦ୍ୱନ୍ଦ ହିଁ ଘଟଣାର ମୁଖ୍ୟ କାରଣ ବୋଲି ଜଣେ ଆମ୍ବେଦକାରବାଦୀ ନେତା ପ୍ରକାଶ କରିଛନ୍ତି । ତେବେ ଆମ୍ବେଦକର ପ୍ରତିମୂର୍ତ୍ତି ଥିବା ଏହି ଜମିର ବିଧିବଦ୍ଧ ଭାବେ ସରକାରୀ ତଦନ୍ତ କରାଗଲେ ଜମି ସରକାରୀ ନା ରଏତି ତାହା ସର୍ବସମ୍ମୁଖରେ ସ୍ପଷ୍ଟ ହେବା ସହ ବାବା ସାହେବଙ୍କ ପ୍ରତିମୂର୍ତ୍ତିକୁ ଉଚିତ୍ ମର୍ଯ୍ୟାଦା ମିଳି ପାରିବ ବୋଲି ଅଂଚଳବାସୀ ଦାବୀ କରିଛନ୍ତି ।