jayashree

ପଥରଚେପା ଆଦର୍ଶ ବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାଠାରେ ଜଳବାୟୁ ପରିବର୍ତ୍ତନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୟ କୁମାର ସାହୁ ଓବାସର ଜିଲ୍ଲା ସଂଯୋଜକ ଏବଂ ଯୁନିସେଫର ଆଇଆର୍‌ଓ ଅଭିଷେକ ମନି ପ୍ରମୁଖ ଜଳବାୟୁ ପରିବର୍ତ୍ତନ ଓ ବିଶ୍ଵ ଭୂ-ତାପନ ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ନେଇ ଆସିଥିଲେ । ଅଭିଷେକ ମନି ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ପ୍ରାୟ ଦଶଟି ଦେଶରେ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ସାରିଛନ୍ତି । ନିକଟ ଅତୀତରେ ଦୁବାଇଠାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ସେଠାରେ ଭାରତର ପ୍ରତିନିଧିତ୍ୱ କରି ଭାଷଣ ଦେଇଥିଲେ । ଆହୁରି ମଧ୍ୟ ଶ୍ରୀ ମନି ନିଜ ହାଇସ୍କୁଲ ସମୟରୁ ଏଇ ଜଳବାୟୁ ପରିବର୍ତ୍ତନ ଉପରେ ସଚେତନ କରି ଆସୁଛନ୍ତି । ପ୍ରଥମେ ସେମାନେ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ସହ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ ଏବଂ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ କଣ ଓ ତାହା ଶିକ୍ଷା କୃଷି ଓ ଅର୍ଥନୀତି ଉପରେ କିଭଳି ପ୍ରଭାବ ପକାଉଛି ଏବଂ ଆମେ କିଭଳି ଭାବରେ ନିଜର ଛୋଟ ଛୋଟ ଉଦ୍ୟମରେ ବା ନିଜର ବ୍ୟବହାରରେ ପରିବର୍ତ୍ତନ ଆଣି ଏହି ବିଶ୍ଵ ଭୂ-ତାପନ ବା ଜଳବାୟୁ ପରିବର୍ତ୍ତନକୁ ରୋକି ପାରିବା ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏ ପରିପ୍ରେକ୍ଷୀରେ ବିଜୟ କୁମାର ସାହୁ ଦୁନିଆରେ ପରିବର୍ତ୍ତନ ଆଣିବା ଆଗରୁ ନିଜ ମଧ୍ୟରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇଥିଲେ । ଅଭିଷେକ ମନି ମଧ୍ୟ ଛୋଟ ବେଳରୁ ପରିବେଶ ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ନିଜର ମତବ୍ୟକ୍ତ କରିଥିଲେ । ପରେ ନବମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ସ୍ମାର୍ଟ କ୍ଲାସରେ ଭିଡିଓ ଏନିମେସନ୍‌ ମାଧ୍ୟମରେ ଗ୍ଲୋବାଲ ୱର୍ମିଂକୁ ନେଇ ଏକ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଜଳବାୟୁ ପରିବର୍ତ୍ତନ ଉପରେ ଏକ କବିତା ଆବୃତ୍ତି କରିଥିଲେ । ଶେଷରେ ଅଧ୍ୟକ୍ଷ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମରୁ ଶିଖିଥିବା ବିଭିନ୍ନ ତଥ୍ୟକୁ ନିଜ ଜୀବନରେ ଉପଯୋଗ କରିବାକୁ ଉପଦେଶ ଦେଇଥିଲେ ।

Leave A Reply

Your email address will not be published.