jayashree

ରାଉରକେଲା କଲେଜରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଓଡିଆ ବିଭାଗ ତରଫରୁ ‘ଓଡ଼ିଆ ସାହିତ୍ୟରେ ନବଜାଗରଣ : ପୃଷ୍ଠଭୂମି ଓ ପରିସର’ ଶୀର୍ଷକରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ତଥା ବିଶିଷ୍ଟ କବି ଓ ସମାଲୋଚକ ଡଃ ଅଶ୍ବିନୀ କୁମାର ରାୟ ଏବଂ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ, ଓଡ଼ିଆ ଅଧ୍ୟାପିକା ଡଃ ମଞ୍ଜୁଳିକା ନାୟକ ‘ବିଷୟ ବିଶେଷଜ୍ଞ’ ଭାବେ ଯୋଗଦେଇଥିଲେ । ଛାତ୍ରୀ ପୂଜା ମହାପାତ୍ର, ସୋନାଲି ମହାନନ୍ଦ ଓ ଅଭିଲିପ୍ସା ସ୍ବାଇଁ ପ୍ରାରମ୍ଭିକ ସଂଗୀତ ଗାନ କଲା ପରେ ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ପରେ ପରେ ତୃତୀୟ ବର୍ଷର ଛାତ୍ରୀ ଅନିତା ଜଗଦ୍ଦେବ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ପ୍ରବୀଣ ସମାଲୋଚକ ଡଃ ରାୟ ବିସ୍ତାର ଭାବେ ଓଡ଼ିଆ ସାହିତ୍ୟରେ ‘ନବଜାଗରଣ’ର ପୃଷ୍ଠଭୂମି ସହ ରାଧାନାଥୀ ନବ୍ୟ କାବ୍ୟଧାରା ଠାରୁ ଗଙ୍ଗାଧର ଓ ସତ୍ୟବାଦୀ ଯୁଗ ପର୍ୟ୍ୟନ୍ତ ଏହାର ପରିସରଭୁକ୍ତ କରିଥିଲେ । ଅନ୍ୟତମ ‘ବିଷୟ ବିଶେଷଜ୍ଞ’ ଅଧ୍ୟାପିକା ଡଃ ନାୟକ ଓଡିଶାରେ ଖ୍ରୀଷ୍ଟ ଧର୍ମ, ବ୍ରାହ୍ମ ଧର୍ମର ପ୍ରସାର ଓ ପ୍ରଭାବ, ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ, ଭାଷା ସୁରକ୍ଷା ଆନ୍ଦୋଳନ, ଇଂରାଜୀ ଶିକ୍ଷାର ପ୍ରଭାବ, ମୁଦ୍ରାଯନ୍ତ୍ର, ପତ୍ର-ପତ୍ରିକାର ପ୍ରସାର, ତଥା ରାଧାନାଥଙ୍କ ଠାରୁ ମଧୁସୂଦନ, ଫକୀର ମୋହନ, ନନ୍ଦକିଶୋର ପ୍ରଭୃତି ସାହିତ୍ୟିକଙ୍କ ନବଚେତନାଧର୍ମୀ ସାରସ୍ବତ ସ୍ବର-ସଂପଦ ଉପରେ ଆଲୋକପାତ କରିଥିଲେ । ଆଲୋଚନାଚକ୍ରର ଅନ୍ତିମ ପର୍ବରେ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମହାଶ୍ୱେତା ସାହୁ ଆଲୋଚ୍ୟ ବିଷୟରେ ଗବେଷଣାଧର୍ମୀ ପ୍ରବନ୍ଧ ପାଠ କରିଥିଲେ । ଏଥିରେ ରାଉରକେଲାସ୍ଥ ସମସ୍ତ କଲେଜର ଓଡ଼ିଆ ଅଧ୍ୟାପକ-ଅଧ୍ୟାପିକାମାନେ ଅଂଶଗ୍ରହଣ କରିଥିଲେ । ବିଭାଗୀୟ ମୁଖ୍ୟା ରଶ୍ମିପ୍ରଭା ମଥାନ ମଂଚ ପରିଚାଳନା କରିଥିବା ବେଳେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ବିଭାଗୀୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଅଧ୍ୟାପକ ବନବିହାରୀ କିଷାନ । ଏହି ଆଲୋଚନାଚକ୍ରରେ ସହଯୋଗ କରିଥିଲେ ରୂପେଶ ଗୋପ, ବିକାଶ ମାହାତୋ, ଅନୁ ଧନୱାର, ଐଶ୍ୱର୍ୟ୍ୟା ସାହୁ, ପ୍ରକାଶ ଓଝା, ପ୍ରକାଶ ମେହେର, କ୍ରାନ୍ତି ଓରାମ, ସଂଧ୍ୟା ରାଣୀ ବେହେରା, ଅପର୍ଣ୍ଣା ପାହାରୀ, ଅନୁଶ୍ରୀ ରାଉତ, ମମତା କିଷାନ, ଭାରତୀ ବେହେରା, ମଧୁସ୍ମିତା ନାୟକ, ଲିପ୍ସା ବଳିଆରସିଂହ, ଗୋପାଳକୃଷ୍ଣ ଦାଶ, ଅଭିଷେକ ପରିଡ଼ା, ସୌମ୍ୟରଞ୍ଜନ ମହାନ୍ତି, ହିମାଂଶୁ ନାୟକ, ଛବିଳ ସେଠୀ, ଛନ୍ଦା ଚରଣ ଭିତ୍ରିଆ, ତପସ୍ଵିନୀ କୁମ୍ଭାର, ସୁଶ୍ରୀରେଖା ବେହେରା, ରଶ୍ମି ହରିପାଲ, ଶିବାନୀ କେର୍କେଟା, ଅଙ୍କିତା ବାର୍ଲା, ମାଳତୀ ଲାକ୍ରା, ବାସନ୍ତୀ ସିଂ, ସାଲୋନୀ କଂସାରୀ, ଅନୁଷ୍କା ମୁଣ୍ଡାରୀ ପ୍ରମୁଖ । ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ଚାରି ବର୍ଷର ବହୁ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ ।

Leave A Reply

Your email address will not be published.