ଟିଟିଲାଗଡ଼ ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଆଲୋଚନାଚକ୍ର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ଟିଟିଲାଗଡ ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ୨୫ ଟି ବିଭିନ୍ନ ଅନୁଷ୍ଠାନ, ସଂସ୍ଥା, ସଙ୍ଘର ସଦସ୍ୟ ଆସି ଯୋଗଦେଇ ଥିଲେ । ଏହି ଅବସରରେ ମନ୍ତ୍ରୀ ସମସ୍ତ ବୁଦ୍ଧିଜୀବୀମାନଙ୍କୁ ସ୍ଵାଗତ କରିବା ସହ ସହରର ବିକାଶ ତଥା ଅଞ୍ଚଳବାସୀଙ୍କୁ ଆଉ କ’ଣ କ’ଣ ଦରକାର ଅଛି ସେ ନେଇ ମତାମତ ଲୋଡିଥିଲେ । ଉପସ୍ଥିତ ଥିବା ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ବିକାଶ କାର୍ଯ୍ୟ ଚାଲୁଛି କିନ୍ତୁ କିଛି ମୌଳିକ ସମସ୍ୟା ତଥା ନୂତନ ଜିନିଷ ପାଇଁ ନିଜ ନିଜର ମତ ପୋଷଣ କରିଥିଲେ । ସେ ଭିତରେ ଡାକ୍ତରଖାନାରେ ଡାକ୍ତର ପୂରଣ, ବିଦ୍ୟାଳୟମାନଙ୍କରେ ଶିକ୍ଷକ ପଦବୀ ପୂରଣ, ଦୈନନ୍ଦିନ ପିଇବା ପାଣି ଯୋଗାଣ, ରାସ୍ତା ଘାଟ ମରାମତି ଇତ୍ୟାଦି ପ୍ରସଙ୍ଗ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଥିଲେ ।

ବିଜେଡ଼ି ନଗର ସଭାପତି ରଣଜିତ୍ ପୃଷ୍ଟି ମଞ୍ଚ ପରିଚାଳନା କରିଥିବା ବେଳେ ଏହି ଆଲୋଚନାଚକ୍ର ଅବସରରେ ମନ୍ତ୍ରୀ ମଞ୍ଚ ଉପରେ ନ ବସି ସାଧାରଣ ଲୋକଙ୍କ ଭଳି ସମସ୍ତଙ୍କ ସହ ଏକାଠି ବସିଥିଲେ । ଜଣେ ଜଣେ କରି ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଡାକିବା ସହିତ କ’ଣ କ’ଣ ପ୍ରସ୍ତାବ ରହିଛି ଶୁଣି ସବୁ ନିଜେ ନୋଟ୍ କରୁଥିବାର ଦେଖିବାକୁ ମିଳିଥିଲା । ସବୁ ବୁଦ୍ଧିଜୀବୀମାନଙ୍କ କଥା ଶୁଣିବା ପରେ ଆସନ୍ତା ଦିନମାନଙ୍କରେ ଅତି ଶୀଘ୍ର କାର୍ଯ୍ୟକାରୀ କରିବି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଆଲୋଚନାଚକ୍ରରେ ସହରର ବ୍ରାହ୍ମଣ ସମାଜ, ମୁସଲିମ ସମାଜ, ନାଗରିକ ମଞ୍ଚ, ଲାୟଂସ କ୍ଲବ, ମାରୱାଡ଼ି ମହିଳା ମଣ୍ଡଳ, ମାରୱାଡ଼ି ଯୁବା ମଞ୍ଚ, ବଣିକ ସଂଘ, କେପିଏସ୍‌ଏସ୍‌, ଆଦିବାସୀ ସଙ୍ଘ, ସୁନାରି ସମାଜ, ବଙ୍ଗାଳି ସମାଜ, ଜେସିଆଇ, ଚାମ୍ବର ଅଫ କମର୍ସ, ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା, ଜୈନ ସମାଜ, କରଣ ସମାଜ, ଗୁଜୁରାତି ସମାଜ ସହ ସହରର ବିଭିନ୍ନ ସମାଜ ଓ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଭଳି ଆଲୋଚନାଚକ୍ର ଅନୁଷ୍ଠିତ କରିଥିବା ଯୋଗୁଁ ଉପସ୍ଥିତ ଥିବା ଲୋକେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ମନ୍ତ୍ରୀ ସିଧାସଳଖ ଲୋକଙ୍କୁ ହେଉଥିବା ଅସୁବିଧା ବିଷୟରେ ନିଜେ ଅବଗତ ହୋଇପାରିଲେ ଯଦ୍ୱାରା ବିକାଶର କାର୍ଯ୍ୟକୁ ସଠିକ୍ ଦିଗରେ ନେଇପାରିବା ସହ ବିକାଶ କାର୍ଯ୍ୟର ସଫଳ ରୂପାୟନ ସହ ସରକାରଙ୍କ ଅନୁଦାନର ସଠିକ ବିନିଯୋଗ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.