ମୀନାକ୍ଷୀ ଧରଙ୍କ ସ୍ମାରକୀ ଆଲୋଚନାଚକ୍ର ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଚର୍ଚ୍ଚିତ ଉଦଘୋଷିକା ମୀନାକ୍ଷୀ ଧରଙ୍କ ଦ୍ୱିତୀୟ ସ୍ମୃତିଚାରଣ ସଭା ଓ ସ୍ମାରକୀ ଆଲୋଚନାଚକ୍ର ଆସନ୍ତା ୨୧ ତାରିଖ ଦିନ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ମୀନାକ୍ଷୀ ଧର ଫାଉଣ୍ଡେସନର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ୱରେ କଲଚରାଲ ଏକାଡ଼େମୀଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୪ତାରିଖ ଦିନ ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ୍ ସ୍କୁଲଠାରେ ସକାଳ ୮ ଘଟିକା ସମୟରେ ବିଦ୍ୟାଳୟ ସ୍ତରୀୟ ସାଧାରଣଜ୍ଞାନ ପରୀକ୍ଷା କରାଯିବ । ଦୁଇ ଭାଗରେ ବିଭକ୍ତ କନିଷ୍ଠ ବର୍ଗ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଓ ବରିଷ୍ଠ ବର୍ଗ ନବମରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ୨୧ ତାରିଖ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ସେହିପରି ଚଳିତ ବର୍ଷ ଉଦ୍‌ଘୋଷକ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଶ୍ୟାମସୁନ୍ଦର ଧର ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ପଶ୍ଚିମ ଓଡିଶା ଲୋକ ସଂସ୍କୃତି – ସ୍ବରୂପ ସଂପର୍କରେ ଆଲୋଚନା ସହ ସ୍ବର୍ଗତା ଧରଙ୍କ ସ୍ମୃତିଚାରଣ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଶ୍ରୀ ଧରଙ୍କ ବ୍ୟତୀତ ସର୍ବଶ୍ରୀ ରାଜୀବ ପାଣି, ବ୍ରଜେନ୍ଦ୍ର ଦାଶ, ଶୈଳେନ୍ଦ୍ର ମହାନ୍ତି, ଶଙ୍କର ଜେନା, କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ନିରୁପମା ଦାଶ, ଆଲୋକ ଜେନା, ଅଶୋକ ପଟ୍ଟନାୟକ, ପ୍ରାଚୀ ଧର, ସ୍ମିତା ମିଶ୍ର, ସୂର୍ଯ୍ୟନାରାୟଣ ପାଢୀ, ସିଲି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତାର ବିଶେଷ ବିବରଣୀ ପାଇଁ ଛାତ୍ରଛାତ୍ରୀ ମାନେ ମୋବାଇଲ ନମ୍ବର ୭୦୦୮୨୫୫୫୦୯ ଓ ୮୨୪୯୫୮୭୦୯୩ ରେ ଯୋଗଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଦୁଇବର୍ଷ ତଳେ ଏକ ଅଭାବନୀୟ ଦୁର୍ଘଟଣାରେ ମୀନାକ୍ଷୀଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.

error: Content is protected !!