ମାସିକ ରଚନା ସନ୍ଧ୍ୟାରେ “ଏବେ ଆମ ଯୁବପିଢ଼ି ସମ୍ମୁଖରେ ଆହ୍ୱାନ” ଶୀର୍ଷକ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ଯୁବପିଢ଼ିଙ୍କ ଆଗରେ ଆହ୍ୱାନ ଅନେକ, ପ୍ରତିଯୋଗିତା ଅନେକ । ସେମାନେ ନିଜକୁ ମୋବାଇଲର କୃତ୍ରିମ ଦୁନିଆ ଭିତରେ ଆବଦ୍ଧ ନରଖି ନିଜ ଭିତରେ ଥିବା ପ୍ରକୃତ ଗୁଣକୁ ଚିହ୍ନନ୍ତୁ ଏବଂ ଅଭିଭାବକମାନେ ସେମାନଙ୍କ ଉପରେ ପାଠର ବୋଝ ନଲଦି ମୁକ୍ତ ବିଚାର ପାଇଁ ପ୍ରେରଣା ଦିଅନ୍ତୁ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ୱାରା ଆୟୋଜିତ “ମାସିକ ରଚନା ସନ୍ଧ୍ୟା” କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ଅଧ୍ୟାପକ ଡ. କବିରାଜ ଭୋଇଙ୍କ ସଂଯୋଜନାରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷଠାରେ ଆୟୋଜିତ “ଏବେ ଆମ ଯୁବପିଢ଼ି ସମ୍ମୁଖରେ ଆହ୍ୱାନ” ଶୀର୍ଷକ ଆଲୋଚନା ଚକ୍ରରେ ପ୍ରଥମେ ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଛାତ୍ର ଅଂଶୁମାନ ଦେବତା ଓ ସିଏନସିର ଛାତ୍ର ଜୟଶଙ୍କର ଅଗ୍ରୱାଲ ନିଜେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ବର୍ଣ୍ଣନା କରିଥିଲେ । ଅତିଥିବକ୍ତା ଭାବରେ ସରକାରୀ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅନୁରାଧା ମିଶ୍ର ଏବଂ ସିଆର୍‌ପିଏଫ୍‌ରୁ ଅବସରପ୍ରାପ୍ତ ଉପନିରୀକ୍ଷକ ଦିଲୀପ କୁମାର ପୁରୋହିତ ଯୁବପିଢ଼ିଙ୍କ ଭିତରେ କଳ୍ପନାଶକ୍ତି ଧିରେ ଧିରେ ହ୍ରାସ ପାଉଛି ଓ ସେମାନେ ସୃଜନଶୀଳ ନହୋଇ ରୋଜଗାରକ୍ଷମ ହେବାକୁ ଅଧିକ ପ୍ରୟାସ କରୁଛନ୍ତି; ଫଳରେ ବିଫଳତାକୁ ସାମ୍ନା କରି ନପାରି ଅବସାଦଗ୍ରସ୍ତ ହେଉଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ପରେ ଭାବ ବିନିମୟ କାର୍ଯ୍ୟକ୍ରମରେ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର ଏବଂ ଅଧ୍ୟାପକ ସଦାଶିବ ସାହୁ ବିଷୟବସ୍ତୁ ଉପରେ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷକ, ଅଭିଭାବକ ଓ ସାମ୍ବାଦିକ ଯୋଗଦେଇଥିଲେ । ଶେଷରେ ରଚନାର ସହସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.