ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗର ସାର ନଗରୀ ଶାଖା ତରଫରୁ ମାସିକ ସାହିତ୍ୟ ଆସର ଓ ପୁରାଣ ପରମ୍ପରାରେ ଲକ୍ଷ୍ମୀ ପୁରାଣର ମହତ୍ତ୍ଵ ସମ୍ପର୍କରେ ଆଲୋଚନା ଚକ୍ର ବିଦ୍ୟା ଷ୍ଟଡି ପଏଣ୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ଶାଖାର ସହ ସମ୍ପାଦିକା ଶ୍ୱେତଲିନା ଶତପଥୀଙ୍କ ସଂଯୋଜନାରେ ଶାଖାର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ତ୍ରିନାଥ ଦାସ ମୋହିନୀ ସଭାପତିତ୍ୱ କରିଥିଲା ବେଳେ କେଶବ ନଗର ଶାଖାର ଉପସଭାପତି ତଥା ଶିକ୍ଷାବିତ ପ୍ରବୀର କୁାର ଦୁବେ ମୁଖ୍ୟଅତିଥି, ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ ତଥା କେଶବ ନଗର ଶାଖାର ସଭାପତି ବିଜୟିନୀ ଜେନା, ପ୍ରାକ୍ତନ ଓଡ଼ିଆ ପ୍ରାଧ୍ୟାପିକା ଡ. ରୁକ୍ମିଣୀ ସାହୁ ଯୋଗ ଦେଇଥିଲେ । ବିଷୟ ବିଶେଷଜ୍ଞ ଦ୍ୱୟ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ଆନ୍ତରିକତା ଥିଲେ ଅଭିମାନ ଆସେ । ନାରୀବାଦର ପ୍ରବକ୍ତା ହେଉଛନ୍ତି ବଳରାମ ଦାଶ । ତତ୍କାଳୀନ ସମୟରେ ଜାତିଭେଦ ଉତ୍କଟତା ଥିଲା । ଲକ୍ଷ୍ମୀ ପୁରାଣରେ ଏ ସମ୍ପର୍କରେ ତୀବ୍ର ସ୍ୱର ରହିଛି । ଲକ୍ଷ୍ମୀ ପୁରାଣ ଆମ ସଂସ୍କୃତିର ବିଭବ । ଜାତିପ୍ରଥା ଓ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ପାରିବାରିକ ବୁଝାମଣା ତଥା ସମ୍ପର୍କର କଥା କହିଛି ଲକ୍ଷ୍ମୀ ପୁରାଣ । ପ୍ରାରମ୍ଭରେ ଅଖିଳ ଭାରତ ସାହିତ୍ୟ ପରିଷଦର ସାଂଗଠନିକ ସମ୍ପାଦକ କୁଞ୍ଜବିହାରୀ ରାଉତ ସ୍ୱାଗତ ଭାଷଣ ଓ ଉପସଭାପତି ସୁଭାଷ ଚନ୍ଦ୍ର ପାତ୍ର ପ୍ରାକ୍ କଥନ ରଖିଥିଲେ । ଅନ୍ୟତମ ଆବାହକ ତଥା ସହ ସମ୍ପାଦକ ସରୋଜ କୁମାର ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ ପରେ ଶ୍ୱେତଲିନା ଶତପଥୀ ଓ ସୁଚିଶ୍ମିତା ପଣ୍ଡା ଲକ୍ଷ୍ମୀ ପୁରାଣର କିଛି ପଂକ୍ତି ଗାନ କରିଥିଲେ । ସଭାପତି ଶ୍ରୀ ମୋହିନୀ ସଭାପତିତ୍ୱ ଅଭିଭାଷଣ ସହ ଏଭଳି କାର୍ଯ୍ୟକ୍ରମ ସମାଜ ଉପରେ ଭଲ ପ୍ରଭାବ ପକାଉଛି ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦୁବେ ବିଷୟ ସମ୍ପର୍କରେ ମତ ରଖିବା ସହ ଏହା ସମସ୍ତ ପରିବାର ପାଇଁ ଏକ ମୂଲ୍ୟବାନ ପୁରାଣ ବୋଲି ମତ ରଖିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ କବି ସୁଚିଶ୍ମିତା ପଣ୍ଡାଙ୍କ ସଂଯୋଜନାରେ କବି ସବିତା ଦାସ, ଶ୍ରୀନାଥ ଚନ୍ଦ୍ର ନାୟକ, ଶ୍ୱେତଲିନା ଶତପଥୀ, ଗୌରାଙ୍ଗ ଚରଣ ଦାସ କବିତା ପାଠ କରିଥିଲେ । ଶେଷରେ ସମ୍ପାଦକ ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କରୁଣାକର ପାଟ୍ଟଶାଣୀ, ଲକ୍ଷ୍ମୀ ପଣ୍ଡା, ମାଧୁରୀ ପ୍ରଧାନ, ଜାନକୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post