ବଲାଙ୍ଗିର, (କେପିଏନ୍ଏସ୍) : ପରିବର୍ତ୍ତନଶୀଳ ସମୟ ସହ ତାଳ ଦେଇ ଆମ ସମାଜ ମଧ୍ୟ ପରିବର୍ତ୍ତନକୁ ଆପଣେଇ ଥାଏ । କିନ୍ତୁ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ପାଶୋରି ଦେବା ଉଚିତ ନୁହେଁ । ଆଧୁନିକତାର ଅର୍ଥ ନିଜ ସଂସ୍କୃତିକୁ ଭୁଲିଯିବା ନୁହେଁ । ଆମ ଭାରତୀୟ ସଂସ୍କୃତି ଏକ ଶୃଙ୍ଖଳିତ ଜୀବନଶୈଳୀର ଶିକ୍ଷାଦିଏ । ତେଣୁ ଏହାକୁ ଛାତ୍ର ଅବସ୍ଥାରୁ ଆଦରି ନେବା ଆବଶ୍ୟକ । ବଲାଙ୍ଗିରର ଅଗ୍ରଣୀ ସାମାଜିକ-ସାହିତ୍ୟିକ-ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ର “ମାସିକ ରଚନା ସନ୍ଧ୍ୟା” କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ପି ପି ଏକାଡେମୀ ସଭାକକ୍ଷରେ “ଆମ ସଂସ୍କୃତି ଓ ଆଧୁନିକତା” ଶୀର୍ଷକ ଆଲୋଚନା ଚକ୍ରରେ ଅତିଥିବକ୍ତା ଭାବରେ ରାଜେନ୍ଦ୍ର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଗତିକୃଷ୍ଣ ଉଦଗାତା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପୁରାଣ ପ୍ରସଙ୍ଗ ଓ ପୁସ୍ତକର ଉଦାହରଣ ଦେଇ ଆମ ସଂସ୍କୃତିର ମହାନତା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥିବକ୍ତା ଭାବରେ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୁଚିସ୍ମିତା ସିଂହ ଓ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଛାତ୍ର ବରୁଣ ଚୌହାନ ଯୋଗଦେଇ ଆଧୁନିକତାକୁ ଆମେ ଏପରି ଭାବରେ ଆପଣାଇବା ଯାହା ଆମ ସଂସ୍କୃତିକୁ କୌଣସି ଆଘାତ ପହଞ୍ଚାଉ ନଥିବ ବରଂ ଆମକୁ ଆହୁରି ଶୃଙ୍ଖଳିତ କରୁଥିବ ବୋଲି ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡ଼. ଜଗନ୍ନାଥ ସାହୁ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସହସମ୍ପାଦକ ରତ୍ନମୟ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ‘ରଚନା’ର ସମସ୍ତ ସଭ୍ୟ ସଭ୍ୟା, ଛାତ୍ରଛାତ୍ରୀ, ସଂସ୍କୃତିପ୍ରେମୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।