ସେକ୍ଟର ୨୦ ପତାଞ୍ଜଳି ଯୋଗ କେନ୍ଦ୍ର ତରଫରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର୍ ଠାରେ ଚାଲୁଥିବା ପତାଞ୍ଜଳି ଯୋଗ କେନ୍ଦ୍ର ତରଫରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଯୋଗ କେନ୍ଦ୍ରର ମୁଖ୍ୟ ହେମନ୍ତ କୁମାର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ଶିକ୍ଷାବିତ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମାଧବନଗର ଶାଖାର ସଭାପତି ବ୍ରଜେନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡିଆ ଅସ୍ମିତା, ସ୍ୱାଭିମାନର କାଳଜୟୀ ସ୍ୱର ଓଡ଼ିଆ ଭାଗବତ । ପଞ୍ଚସଖାର ଅନ୍ୟତମ ସଖା ଜଗନ୍ନାଥ ଦାସ ଆମ ପାଖରେ ଅମୂଲ୍ୟ ଭାଗବତ ରଖିଥିବାରୁ ସେ ସମସ୍ତ ଓଡ଼ିଆଙ୍କ ପାଇଁ ନମସ୍ୟ । ମୁଖ୍ୟବକ୍ତା ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଭାଗବତକୁ ଆଧ୍ୟାତ୍ମିକ ସାଂସ୍କୃତିକ ଆନ୍ଦୋଳନର ଅନ୍ୟଏକ ରୂପ ବୋଲି ଅବହିତ କରି ଏହି ଭାଗବତରେ ଥିବା ସାମାଜିକ, ନୀତିକଥା, ସଚେତନତା ବାର୍ତ୍ତା ଓ ଆଧ୍ୟାତ୍ମିକତା ସମ୍ପର୍କରେ ତଥା ଅତିବଡ଼ିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ଭାବେ ନିରୁପମା ପତି ସଂକ୍ଷେପରେ ଭାଗବତର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଧରିତ୍ରୀ ପାଇକରାୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ଦାସ, ନିବେଦିତା ବେହେରା, ନିରୁପମା ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସବିତା ପୃଷ୍ଟି, ପ୍ରଭାତୀ ଦାସ, ସନ୍ତୋଷ ତ୍ରିପାଠୀ, ତୁଷାର ବେହେରା, ଶ୍ରାବଣ କୁମାର, ସନ୍ତୋଷିନୀ ବିଶେଷରାୟ, ସସ୍ମିତା ବେହେରା, ଚମ୍ପାବତୀ ମହନ୍ତ, ପ୍ରତିମା ଦାସ, ପାର୍ବତୀ ପୋଥାଳ ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ଶରତ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.