
ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ମୁଭମେଣ୍ଟ ଫେଡରେସନ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ନିଆରା ଆଲୋଚନା ଚକ୍ର ଓ ପ୍ରେରଣା ପ୍ରତିଭା ସମ୍ମାନ ସମାରୋହ ସ୍ଥାନୀୟ ଭଞ୍ଜ ଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ଆବାହାକତ୍ୱ ଓ ସାଂସ୍କୃତିକ ସମ୍ପାଦିକା କଳ୍ପନା ଶତପଥିଙ୍କ ତତ୍ୱାବଧାନ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଓ ଉତ୍କର୍ଷତା ପ୍ରତିପାଦିତ କରିଥିବା ସ୍ୱାବଲମ୍ଵୀ ଓ ସ୍ୱାଭିମାନୀ ମହିଳାମାନଙ୍କୁ ସମ୍ମାନିତ ଓ ସମ୍ଵର୍ଦ୍ଧିତ କରାଯାଇଥିଲା । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡାକ୍ତର ଭାଗିରଥି ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଗଣଙ୍କ ମଧ୍ୟରେ ସମାଜସେବୀ କମଲ ଅଗ୍ରୱାଲ, ଅନୀତା ଅଗ୍ରୱାଲ ମଞ୍ଚାସୀନ ଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ମହିଳାମାନଙ୍କ ସ୍ୱାବଲମ୍ବନତା ଓ ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ଚକ୍ରରେ ନାରୀ ସମାଜର ସ୍ୱାସ୍ଥ୍ୟ ରକ୍ଷା, ସାମାଜିକ ସୁରକ୍ଷା ଠାରୁ ନେଇ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳତା ଆଦି ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ୪ଟି ପର୍ଯ୍ୟାୟରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ସମସ୍ତ ବରେଣ୍ୟ ଆଲୋଚିକାଗଣ ସମାଜରେ ଦୈନନ୍ଦିନ ଜୀବନ ଓ କର୍ମକ୍ଷେତ୍ରରେ ନାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସ୍ପର୍ଶକାତର ବିଷୟ ଯୌନ ଉତ୍ପୀଡନ, ଘରୋଇ ହିଂସା, ଯୌତୁକ ଜନିତ ଚାପ ତଥା ଯେକୌଣସି ପ୍ରକାରର ମାନସିକ ତଥା ଶାରୀରିକ ଯନ୍ତ୍ରଣା ପାଇଁ ପ୍ରତିକାରକ ଆଇନ ଉପରେ ବିଶଦ ଆଲୋଚନା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଡ. ପୂର୍ଣ୍ଣିମା ଦତ୍ତ, ଆଇନଜୀବୀ ଆରତୀ ଚୌଧୁରୀ, ଆଇନ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ. ସମ୍ପାଦିକା ମହାନ୍ତି, ଡ଼ଃ. ସରିତା ମଲ୍ଲ, ସାନ୍ତ୍ୱନା ପରିଡା, ପ୍ରଜ୍ଞା ପରିମିତା ଦାଶ, ସୁଷମା ପ୍ରସାଦ, ମଞ୍ଜୁରାଣୀ ମେହେର, ପୁର୍ଣ୍ଣିମା ମହାନ୍ତି, ବନ୍ଦିତା ମହନ୍ତ, କାମିନୀ ମହନ୍ତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସୁନାମଧନ୍ୟା କଣ୍ଠଶିଳ୍ପୀ ନିଶିପଦ୍ମା ନନ୍ଦ, ଲୀନା ସେନାପତି, ପପିୟା ମଜୁମଦାର, ମାନାସୀ ଦାସ ମହାପାତ୍ର ପ୍ରମୁଖ ବିଭିନ୍ନ ଭାଷାରେ ମନଛୁଆଁ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମରେ ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ସହରର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଚନ୍ଦ୍ରଶେଖର ଶତପଥୀ, ଆର୍ ମହାନ୍ତି, ଶୁଭାକାଂକ୍ଷୀ ଚୌଧୁରୀ, ସସ୍ମିତା ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୁଜାତା ରାଉତଙ୍କ ନିର୍ଦ୍ଦେଶନାରେ ଶ୍ରୀ ଡ଼୍ୟାନ୍ସ ଗୃପର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ ।