ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ ରାଉରକେଲାର ଓଡ଼ିଆ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ଓ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରର ଆଲୋଚ୍ୟ ବିଷୟ ‘ଉତ୍ତର ଆଧୁନିକ ଓଡ଼ିଆ ଗଳ୍ପ ଓ କବିତାର ସ୍ୱର-ସ୍ୱାକ୍ଷର’ ସମ୍ପର୍କରେ ରାଜ୍ୟର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ଇଂ ବିଷ୍ଣୁ ସାହୁ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ପୀତାମ୍ବର ତରାଇ ଓ ବିଶିଷ୍ଟ ସ୍ତମ୍ଭକାର ଅକ୍ଷୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ । ଆଲୋଚକ ଇଂ ସାହୁ ତାଙ୍କ ବକ୍ତବ୍ୟରେ ଉତ୍ତର ଆଧୁନିକ ଓଡ଼ିଆ ଗଳ୍ପର କ୍ରମବିକାଶ ଓ ସେଥିରେ ସାମାଜିକ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ମନସ୍କ ହେବା ପାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରେରିତ କରିଥିଲେ । କବି ଶ୍ରୀ ତରାଇ ଉତ୍ତର ଆଧୁନିକ ଓଡ଼ିଆ କବିତାରେ ଦଳିତ ଚେତନା ଓ ମାତୃଭାଷା, ମାତୃଭୂମିର ପ୍ରକୃତ ଉପାସକ ହେବାକୁ ଗୁରୁତ୍ୱାରୋପ କରିଥିଲେ । ସ୍ତମ୍ଭକାର ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ‘ଓଁ’ ହେଉଛି ପ୍ରଥମ ସାହିତ୍ୟ । ସତ୍ୟର ଅନୁସନ୍ଧାନ କରିବାକୁ ପଡ଼ିବ । ପଞ୍ଚତତ୍ୱର ପୂଜା, ମାନବିକତା ଓ ସାହିତ୍ୟର ଜୟ ଜୟକାର କରିବା ସହ ଆଦର୍ଶ ମଣିଷ ହେବା ପାଇଁ ୭ଟି ତତ୍ୱ ଯଥା ମା-ବାପା, ଗୁରୁ, ପଞ୍ଚଭୂତ ପ୍ରଭୃତି ତଥା ସାହିତ୍ୟ-ସଂସ୍କୃତିର ପୂଜା କରିଲେ ଜୀବନ ଧନ୍ୟ ହୁଏ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଜେନା ସଭାପତିତ୍ୱ ଅଭିଭାଷଣ, ବିଭାଗ ମୁଖ୍ୟ ଶ୍ରୀମତୀ ମଥାନ ପ୍ରାକ୍ ସୂଚନା ଓ ସ୍ୱାଗତ ଭାଷଣ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ସୁଶ୍ରୀ ପୂଜା କୁସୁମ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଶେଷରେ ଅଧ୍ୟାପିକା ପ୍ରିୟଙ୍କା ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଅନୁପ ଏକ୍କା ତଥା ଅପର୍ଣ୍ଣା ପାହାରୀ, ସୋନାଲି ମହାନନ୍ଦ, ଲିପ୍ସା ବଳିୟାରସିଂହ, ଅନୁଶ୍ରୀ ରାଉତ, ହିମାଂଶୁ ନାୟକ, ପ୍ରକାଶ ଓଝା, ସୁଶ୍ରୀ ରେଖା ବେହେରା, ଭାରତୀ ବେହେରା, ସଂଧ୍ୟାରାଣୀ ବେହେରା, ଅଭିଷେକ ପରିଡ଼ା, ଗୋପାଳ କୃଷ୍ଣ ଦାଶ, ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖ ଛାତ୍ର-ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Prev Post